ଆଜି ନେବ ବାତ୍ୟା ରୂପ ! ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ପାଣିପାଗ ବିଭାଗ ପକ୍ଷରୁ ସୂଚନା

841

କନକ ବ୍ୟୁରୋ : ଘନୀଭୂତ ହେଉଛି ଅବପାତ । ଆଜି ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ବର୍ତମାନ ଅବପାତ ଗୋପାଳପୁରଠାରୁ ୮୫୦ କିମି, ପାରଦୀପଠାରୁ ୯୨୦ କିମି ଦୂରରେ ରହିଛି । ଗତ ୬ ଘଂଟା ହେବ ଏହା ୩୨ କିଲୋମିଟର ବେଗରେ ଗତି କରୁଛି । ଆସନ୍ତାକାଲି ସକାଳୁ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଆଜି ସଂଧ୍ୟାଠାରୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି । ଆଜି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

୪ ତାରିଖ ଦିନ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ଅତିରୁ ଅତିପ୍ରବଳ ବର୍ଷିବ । ଏପରିକି ସେଠାରେ ୨୦୦ ମିମିରୁ ଅଧିକ ବର୍ଷିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ଏଥିସହ ଏହି ୪ ଜିଲ୍ଲା ପାଇଁ‌ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯା‌ଜପୁର ଓ ମାଲକାନଗିରି ଆଦି ଜିଲ୍ଲାରେ ମଧ୍ୟ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ଭାବ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ଉପରେ ସତର୍କ ଦୃଷ୍ଟି ଦେବାକୁ ଏସ୍ଆର୍‌ସି ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୫ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ପୁରୀ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜିଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ୩ ତାରିଖ ସକାଳେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିମି ଓ ସ୍ଥଳ ବିଶେଷରେ ୮୫ କିମି ଛୁଇଁପାରେ । ୪ ତାରିଖ ସକାଳ ସୁଦ୍ଧା ଉତ୍ତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ଏବଂ ସ୍ଥଳ ବିଶେଷରେ ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ବୋହିବ ବୋଲି ଆକଳନ କରାଯାଇଛି। ଅପରାହ୍ଣରୁ ରାତି ୧୨ଟା ପର୍ଯ୍ୟନ୍ତ ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗ ସହିତ ଝଟକା ପବନର ବେଗ ୯୦ କିମି ଉପରେ ରହିବାର ସମ୍ଭାବନା ରହିଛି।