କନକ ବ୍ୟୁରୋ : କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ ଏବେ ଏହା ଉତରକୁ ଗତି କରି ମହାରାଷ୍ଟ୍ରରେ ପହଁଚି ଗଲାଣି । ଏହାର ପ୍ରଭାବରେ ମହାରାଷ୍ଟ୍ର ବିଭିନ୍ନ ସ୍ଥାନରେ ଗତ କିଛି ଘଂଟା ଧରି ବର୍ଷା ଲାଗି ରହିଛି । ଆଜି ସକାଳୁ ମୁମ୍ୱାଇରେ ପ୍ରବଳ ବର୍ଷା ଲାଗି ରହିଛି । ମାୟାନଗରୀର ବିଭିନ୍ନ ଅଂଚଳରେ ବର୍ଷା ପରେ ଜଳବନ୍ଦୀ ଅବସ୍ଥାକୁ ଆସିଯାଇଛି ଅନେକ ଅଂଚଳ । ରାସ୍ତା ଉପରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ବି ପାଣି ଜମି ରହିଥିବା ଦେଖିବାକୁ ମିଳିଛି । କିଛି ତଳିଆ ଅଂଚଳ ରାସ୍ତା ପାଣିରେ ବୁଡି ଯିବା ପରେ ଗାଡି ମୋଟର ବି ଫସି ରହିଛି । କରୋନା କାଳରେ ବର୍ଷା ପରେ ଜଳବନ୍ଦୀ ଜୀବନରେ ଫସି ଛନ୍ତି ମୁମ୍ୱାଇର ତଳିଆ ଅଂଚଳ ବାସିନ୍ଦା ।

Advertisment

ମୁମ୍ବାଇ ନଗର ଓ ଉପନଗରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସାମାନ୍ୟ ବର୍ଷା କିଂବା ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଏହାଛଡ଼ା ନିକାଞ୍ଚନ ସ୍ଥାନମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଥିଲା । ମୁମ୍ବାଇ ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ଧରାବି, ଗୋବନ୍ଦି, ହିନ୍ଦମାତା, ସାଇଅନ୍ ଜଙ୍କ୍‌ସନ୍‌ ଏବଂ ବେହରମବୌଗ୍ ଜଙ୍କ୍‌ସନ୍‌ରେ ପାଣି ଜମିଛି । ଏହାଛଡ଼ା, ମଧ୍ୟମ ଧରଣର ବର୍ଷା ସତ୍ତ୍ବେ ଗାନ୍ଧୀ ମାର୍କେଟ ଅଞ୍ଚଳରେ ପାଣି ଜମିଥିବା କଥା କେତେକ ଟୁଇଟର୍‌ ବ୍ୟବହାରକାରୀ ରିପୋର୍ଟ କରିଥିଲେ ।

ଗତକାଲି ଭାରତୀୟ ପାଣିପାଗ ବିଭାଗ କହିଥିଲା, ଆଜି ମୁମ୍ବାଇ ସମେତ ମହାରାଷ୍ଟ୍ରର ଆହୁରି ଅଧିକ ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇ ଆଗାମୀ ୨ ଦିନରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ଅଧିକ ଅଞ୍ଚଳ, ଓଡ଼ିଶାର କେତେକ ଅଞ୍ଚଳ ଏବଂ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳକୁ ଅଗ୍ରସର ହେବ । ଏ ସପ୍ତାହନ୍ତ ପର୍ଯ୍ୟନ୍ତ ପ୍ରବଳ ବୃଷ୍ଟିପାତ ଆଶଙ୍କା କରି ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇରେ ‘ୟେଲୋ ୱାର୍ଣ୍ଣିଙ୍ଗ୍‌’ ଜାରି କରିସାରିଛି ।