ମିଆଁମାର୍‌ରେ ସୃଷ୍ଟି ହେଲା ଲଘୁଚାପ : ରାଜ୍ୟରେ ୩ଦିନ ପ୍ରବଳ ବର୍ଷିବ

508

କନକ ବ୍ୟୁରୋ : ମିଆଁମାର୍‌ ୟାଙ୍ଗନ୍‌ ସହରର ଦକ୍ଷିଣ ଉପକୂଳ‌ରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ରାଜ୍ୟରେ ୩ ଦିନ ଧରି ବର୍ଷା କରାଇବ । ଏହା ପ୍ରଭାବରେ ଆସନ୍ତା ୨୫ରୁ ୨୮ତାରିଖ ପର୍ଯ୍ୟନ୍ତ ରାଜ୍ୟ‌ର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ଭୁବନେଶ୍ବର ଆଞ୍ଚଳିକ ପଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ୨୫ ତାରିଖ ଅପରାହ୍‌ଣରୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଯିବ । ୨୬ ତାରିଖ ଦିନ ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲା‌ରେ ବର୍ଷା ହେବ ।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଗୁରୁବାର ସକାଳେ ମିଆଁମାରର ୟାଙ୍ଗନ୍‌ ସହରର ଦକ୍ଷିଣ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଯାଇଛି । ଆଜି ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ ଓ ମଧ୍ୟାହ୍ନ ସୁଦ୍ଧା ଏହା ମିଆଁମାର ସ୍ଥଳଭାଗ‌ ଦେଇ ଉତ୍ତର ଉପକୂଳରେ ଅବସ୍ଥିତ ହେବ । ଏହାପରେ ପ୍ରାୟତଃ ପଶ୍ଚିମକୁ ଗତି କରି ୨୬ ତାରିଖ ରାତିରେ ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ରହିବ । ୨୭ ତାରିଖରେ ଉତ୍ତର ଭାରତରେ ଥିବା ଲଘୁଚାପବଳୟ ସହ ମିଶିଯିବ । ୨୮ ତାରିଖ ସୁଦ୍ଧା ଏହା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି। ଏହା ଉପକୂଳରେ ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯିବ ଓ ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍‌ । ଏ

ହା ଫଳରେ ୨୫ ତାରିଖ ରାତିରୁ ରାଜ୍ୟର ଦକ୍ଷିଣ ଭାଗରେ ଓ ୨୬ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୨୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ରହିବ । ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା କମ୍‌ ରହିବ ଓ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଜଗତସିଂହପୁର ଜିଲ୍ଲାର ଦକ୍ଷିଣରେ ଥିବା ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ମଧ୍ୟମ ଧରଣର ଓ କେତେକ ସ୍ଥାନରେ ପ୍ରାୟତଃ ଭାରୀ (୫୦ ମିମି ପର୍ଯ୍ୟନ୍ତ) ବର୍ଷାର ସମ୍ଭାବନା ରହିଛି । ଆଭନ୍ତରୀଣ ଦକ୍ଷିଣରେ ମଧ୍ୟମ ଧରଣର ବର୍ଷା ହେବ। ରାଜ୍ୟରେ ବିସ୍ତୃତ ଭାରିବର୍ଷାର ସମ୍ଭାବନା କମ୍‌। ଅନ୍ୟ ଏକ ଦୃଶ୍ୟପଟ କହୁଛି, ଲଘୁଚାପଟି ଯଦି ଆନ୍ଧ୍ର ଉପକୂଳରେ ୨୭ ଓ ୨୮ ଦୁଇ ଦିନ ରହିବ ତେବେ ଓଡ଼ିଶାରେ ବର୍ଷା କମ୍‌ ହେବ।