ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା : ଆଜି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର

 କାଲି ମଧ୍ୟାହ୍ନରୁ ପାଗରେ ଆସିବ ପରିବର୍ତ୍ତନ, ପୁଣି ବଢିବ ଶୀତ

655

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ୧୫ ତାରିଖ ମଧ୍ୟାହ୍ନରୁ ପାଗରେ ପରିବର୍ତ୍ତନ ଆସିବ। ପାରଦ ଧୀରେଧୀରେ ତଳକୁ ଖସିବ ଓ ଶୀତ ଫେରିବ । ଆଜିଠୁ ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ରାଜ୍ୟର ୧୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଂଜାମ, ଗଜପତି ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ଏହି ସବୁ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ ଘଡି ସହ ବର୍ଷା ହୋଇପାରେ । ଗତକାଲି ଦକ୍ଷିଣ ଓଡ଼ିଶା ଏବଂ ଉତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର । କାଲି ଅପରାହ୍ଣରୁ ପାଗରେ ପରିବର୍ତନ ଆସିବ । ପାରଦ ଧୀରେ ଧୀରେ ତଳକୁ ଖସିବ ଓ ଶୀତ ଫେରିବ ।

ଗତକାଲି ଦକ୍ଷିଣ ଓଡ଼ିଶା ଓ ଉତ୍ତର-ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା । ସେହିପରି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । କଟକର ନରାଜଠାରେ ସର୍ବାଧିକ ୫୦ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନରସିଂହପୁରଠାରେ ୩୦ମିମି, ମାଲକାନଗିରିଠାରେ ୩୦ ମିମି, ପୁରୁଷୋତ୍ତମପୁରଠାରେ ୩୦ ମିମି, କଳାହାଣ୍ଡିର ନର୍ଲାଠାରେ ୩୦ ମିମି, ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ୩୦ ମିମି ଓ ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ୩୦ମିମି ଲେଖାଏଁ ବର୍ଷା ହୋଇଛି । ୧୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ବର୍ଷା ପ୍ରଭାବରେ ବିଶେଷକରି କୃଷିକ୍ଷେତ୍ର ଓ ଉଦ୍ୟାନ କୃଷି ଫସଲର କ୍ଷତି ଆଶଙ୍କା ରହିଛି। ଶୀତଦିନିଆ ଡାଲିଜତୀୟ ବିହନ ଓ ତୈଳବୀଜ ବିହନ ବୁଣାବୁଣି ଆଗକୁ ଏକ ସପ୍ତାହ ସାମୟିକ ଭାବେ ସ୍ଥଗିତ ରଖିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ବର୍ଷା ପରେ ସର୍ବନିମ୍ନ ତାପମାତ୍ରା ତଳମୁହାଁ ହେବା ଯୋଗୁ ବିହନ ଗଜା ହେବାରେ ଅସୁବିଧା ହେବାର ସମ୍ଭାବନା ରହିଛି । ଏଥିସହ ଶୀଘ୍ର ବୁଣାଯାଇଥିବା ଚିନାବାଦାମ ଓ ସୋରିଷ ଫସଲ ଫୁଲ ଧରିବା ପର୍ଯ୍ୟାୟ, ସାମ୍ଭାବ୍ୟ ବର୍ଷା ସେହି ଫସଲଗୁଡ଼ିକ ପାଇଁ ସହାୟ ହେବ । ଏଣୁ କୃଷକମାନେ ଏହି ଫସଲରେ ଜଳସେଚନ କାର୍ଯ୍ୟ ସ୍ଥଗିତ ରଖିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।