୧୮ରୁ ୨୦ ପ୍ରବଳ ବର୍ଷା ! କେଉଁ କେଉଁ ଜିଲ୍ଲାରେ ହେବ ବର୍ଷା ?

615

କନକ ବ୍ୟୁରୋ : ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ମାଆଁମାର ଉପକୂଳ ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ରହିଛି । ଏହା ଧୀରେଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୧୮ ତାରିଖ ଆଡ଼କୁ ଉତ୍ତର ଓଡ଼ିଶା ତଥା ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ ।

ଏହା ପ୍ରଭାବରେ ଉତର ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ବିଶେଷକରି ୧୮ ତାରିଖ ଦିନ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୧୯ ତାରିଖ ଆଡ଼କୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବ । ଉପକୂଳ ଓଡ଼ିଶା ସମେତ ତତ ସଂଲଗ୍ନ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବ ।

୧୯ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ଭଦ୍ରକ, ବାଲେଶ୍ୱର. ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୦ ତାରିଖ ଦିନ ବି ଘୂର୍ଣ୍ଣିବଳୟର ପ୍ରଭାବ ରହିବ । ତେଣୁ ୨୦ ତାରିଖରେ ଉତର-ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାରେ ଅଧିକ ବର୍ଷିବ । ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ, ଦେବଗଡ ଓ ସମ୍ବଲପୁରରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।