ଆସୁଛି ୨ଟି ଲଘୁଚାପ : ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ

538

କନକ ବ୍ୟୁରୋ : ସେପ୍ଟେମ୍ବର ଆରମ୍ଭରୁ ହିଁ ଚଳିତ ମାସରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଆକଳନ କରାଯାଉଛି । ମାସର ପ୍ରଥମ ୩ ସପ୍ତାହ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । ପ୍ରଥମ ୨ ସପ୍ତାହରେ ଦୁଇଟି ଲଘୁଚାପ ଏବଂ ତୃତୀୟ ସପ୍ତାହରେ ସକ୍ରିୟ ମୌସୁମୀ ଯୋଗୁଁ ରାଜ୍ୟରେ ଭଲ ବର୍ଷାର ସମ୍ଭାବନା ସୃଷ୍ଟି ହୋଇଛି । ସମ୍ଭବତଃ ସେପ୍ଟେମ୍ବର ମାସରେ ରାଜ୍ୟରେ ସ୍ବାଭାବିକ ବର୍ଷା ୨୪୨ ମିମିଠାରୁ ଅଧିକ ବର୍ଷା ହେବ ବୋଲି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଡ. ପଶୁପାଳକ କହିଛନ୍ତି, ବିଭିନ୍ନ ମଡେଲର ଆକଳନରୁ ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ୫ ତାରିଖରେ ଲଘୁଚାପରେ ପରିଣତ ହେବ ବୋଲି ଜଣାପଡ଼ୁଛି । ୬ ତାରିଖରେ ଏହା ଉପକୂଳ ଅତିକ୍ରମ କରି ଛତିଶଗଡ଼ ଦେଇ ବିଦର୍ଭ ଆଡ଼କୁ ମୁହାଁଇବ । ଏହା ଫଳରେ ଆଜି ସଂଧ୍ୟାରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶା‌ରେ ବର୍ଷା ଆରମ୍ଭ ହେବ । ୬ରୁ ୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୯ ତାରିଖରେ ବର୍ଷା କମିଯିବ । ତେବେ ମୌସୁମୀ ଟ୍ରଫ୍‌ର ପୂର୍ବ ଭାଗ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଥିବାରୁ କିଛି ନା କିଛି ବର୍ଷା ଲାଗି ରହିବ । ଫଳରେ ଆସନ୍ତା ସପ୍ତାହେ ଭିତରେ ସମୁଦାୟ ବର୍ଷାର ପରିମାଣ ପଶ୍ଚିମ ଓଡ଼ିଶାରେ ୮୦ ମିମି ଓ ଉପକୂଳ ଓଡ଼ିଶାରେ ୧୦୦ ମିମି ରହିବାର ସମ୍ଭାବନା ରହିଛି ।

ଆକଳନ କରାଯାଉଛି ଯେ, ୧୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହାପରେ ଏହାର ଗତିପଥ ଉପରେ ବିଭିନ୍ନ ମଡେଲର ଭିନ୍ନଭିନ୍ନ ଆକଳନ ରହିଛି । ତେବେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ସାରା ରାଜ୍ୟରେ ବର୍ଷା ହେବା ସହ ଉତ୍ତର ଓଡ଼ିଶାରେ ୯୦ ମିମି ଓ ଦକ୍ଷିଣ ଓଡ଼ିଶାରେ ୧୨୫ ମିମି ହେବାର ସଙ୍କେତ ମିଳୁଛି । କେତେକ ସ୍ଥାନରେ ଭାରି ଓ ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ । ଫଳରେ ହୀରାକୁଦ ସମେତ ସମସ୍ତ ଜଳଭଣ୍ଡାରର ଜଳପତ୍ତନରେ ମଧ୍ୟ ବୃଦ୍ଧି ଘଟିବ। ସେପ୍ଟେମ୍ବର ତୃତୀୟ ସପ୍ତାହରେ ସକ୍ରିୟ ମୌସୁମୀ ଯୋଗୁଁ ରାଜ୍ୟରେ ଭଲ ବର୍ଷା ହୋଇପାରେ ବୋଲି ପାଣିପାଗ ବିଷଶଜ୍ଞେମାନେ ଆକଳନ କରୁଛନ୍ତି ।