ସମ୍ଭାବ୍ୟ ବାତ୍ୟା: ଦୁଇ ଦିନ ପ୍ରବଳ ବର୍ଷିବ, ୭୦ କିଲୋମିଟର ବେଗରେ ପବନ ବହିବ । ବାତ୍ୟାକୁ ନେଇ ବଡ ସୂଚନା ଦେଲେ ଏସଆରସି ।

476

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ପ୍ରେସମିଟ୍ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ । ଗୋପାଳପୁର ପୂର୍ବ, ଦକ୍ଷିଣ ପୂର୍ବରୁ ପ୍ରାୟ ୫୧୦ କିଲୋମିଟର ଦୂରରେ ଏହା ଗତି କରୁଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଆଡକୁ ଗତି କରୁଛି । ୧୨ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଆସୁଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବ । କଳିଙ୍ଗପଟ୍ଟନମ ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ।  ବାତ୍ୟାର ରୂପ ନେବ, କିନ୍ତୁ ଏତେଟା ପ୍ରଭାବ ରହିବ ନାହିଁ ବୋଲି କହିଛନ୍ତି ଏସଆରସି ।

ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୯୦ କିଲୋମିଟର ଛୁଇଁପାରେ । ଆଉ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପବନର ବେଗ ୬୦ରୁ ୭୦ କିଲୋମିଟର ରହିପାରେ । ତେବେ ସମ୍ଭାବ୍ୟ ବାତ୍ୟା ପାଇଁ ୪ ରୁ ୫ ଜିଲ୍ଳାରେ ଅତି ପ୍ରବଳ ବର୍ଷା ହୋଇପାରେ ।  ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, କୋରାପୁଟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ହୋଇପାରେ ।  ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢିବ ।

ପାଣିପାଗ ବିଭାଗରୁ ସୂଚନା ମିଳିବା ପରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ହୋଇଛି, ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଖାସକରି ଅଳ୍ପ ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ କୁହାଯାଇଛି । ଏହାବାଦ୍  ପ୍ରବଳ ବର୍ଷା ପାଇଁ ଖାଲୁଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି । ତେଣୁ ଏହା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାଛଡା ଯେହେତୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ତେଣୁ ବନ୍ୟାର ଆଶଙ୍କା ରହିଛି । ସେହିଭଳି ଭୁସ୍କଳନ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଯେଉଁ ଅଞ୍ଚଳରେ ଭୁସ୍କଳନ ଆଶଙ୍କା ରହିଛି ସେଠାରେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ବାତ୍ୟା ପରବର୍ତ୍ତୀ ସମୟରେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନିତ୍ୱ କରିବାକୁ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଛି । ପାଖାପାଖି ୪୨ଟି ଓଡ୍ରାଫ, ୨୪ଟି ଏନଡିଆରଏଫ  ଟିମକୁ ୭ଟି ଜିଲ୍ଲାରେ ମୁତୟନ କରାଯିବ । ଏହାସହ ଉଦ୍ଧାରକାର୍ଯ୍ୟ ପାଇଁ ୧୦୨ଟି ଅଗ୍ନିଶମ ଟିମକୁ ପ୍ରସ୍ତୁତ ରଖାଯାଇଛି । ଗଞ୍ଜାମକୁ ସର୍ବାଧିକ ୧୫ଟି ଓଡ୍ରାଫ ଓ ୬ଟି ଏନଡିଆରଏଫ ଟିମ୍ ପଠାଯିବ । ଗଜପତିକୁ ୬ଟି ଓଡ୍ରାଫ ଓ ୪ଟି ଏନଡିଆରଏଫ ଟିମ ପଠାଯିବ ।  ରାୟଗଡା ୬ଟି ଓଡ୍ରାଫ, ୪ଟି ଏନଡିଆରଏଫ,  କୋରାପୁଟକୁ ୩ଟି ଓଡ୍ରାଫ, ୪ଟି ଏନଡିଆରଏଫ, ମାଲକାନଗିରିକୁ ୬ଟି ଓଡ୍ରାଫ, ୨ଟି ଏନଡିଆରଏଫ୍‌,   ନବରଙ୍ଗପୁର ୩ଟି ଓଡ୍ରାଫ,  କନ୍ଧମାଳରେ ୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯିବ । ସେହିଭଳି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନୟାଗଡରେ ୪ଟି ଏନଡିଆରଏଫ ଟିମ୍ ରଖାଯିବ । ଯେଉଁ ଟିମକୁ ପରବର୍ତ୍ତୀ ସମୟରେ ଗଞ୍ଜାମ ଓ କନ୍ଧମାଳକୁ ପଠାଯାଇପାରିବ ।  ଏହାଛଡା ଉପକୂଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । କେନ୍ଦ୍ରାପଡା, କଟକ, ପୁରୀ, ଜଗତସିଂହପୁରରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଏସଆରସି ।