ଦକ୍ଷିଣ ଆଣ୍ଡାମାନ ସାଗରରେ କାଲି ସୃଷ୍ଟି ହେବ ଲଘୁଚାପ । ୨ରୁ ୪ ତାରିଖ ମଧ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ।

Advertisment
ଦକ୍ଷିଣ ଆଣ୍ଡାମାନ ସାଗରରେ କାଲି ସୃଷ୍ଟି ହେବ ଲଘୁଚାପ । ୨ରୁ ୪ ତାରିଖ ମଧ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ।

କନକ ବ୍ୟୁରୋ : ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଓଡିଶାରେ ଆଗାମୀ ତିନି ଦିନ ପାଗ ଶୁଖିଲା ରହିବ । ହେଲେ ଡିସେମ୍ବର ୨ରେ ଗଜପତି, ଗଂଜାମ, ପୁରୀ ଏବଂ ଜଗତସିଂହପୁରରେ ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ. ଆର ବିଶ୍ୱାସ କହିଛନ୍ତି ।

ଅନ୍ୟପଟେ ଭାରତୀୟ ପାଣିପାଗ କେନ୍ଦ୍ରର ବର୍ତ୍ତମାନ ସୁଦ୍ଧା ଆକଳନ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବ ବୋଲି ଏବେ ସୁଦ୍ଧା ପ୍ରାୟ ସ୍ପଷ୍ଟ ହେଲାଣି। ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପ‌ଷ୍ଟ ହୋଇନି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଏହି ଲଘୁଚାପକ୍ଷେତ୍ର ସାଇକ୍ଲୋନିକ୍‌ ଡିଷ୍ଟର୍ବାନ୍ସରେ ପରିଣତ ହେବା ନେଇ ୩୩ରୁ ୬୭% ପର୍ୟ୍ୟନ୍ତ ସଙ୍କେତ ରହିଛି। ଏହା ଯଦି ବାତ୍ୟାର ରୂପ ନିଏ, ତେବେ କେଉଁ ଅଞ୍ଚଳ ଦେଇ ଅତିକ୍ରମ କରିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ। ଏହା ପ୍ରଭାବରେ ଆସନ୍ତା ୨ରୁ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହାର ପ୍ରଭାବ କ’ଣ ରହିବ, ତାହା ଜଣାପଡ଼ିବ। ଏହାର ତ୍ରୀବତା ଓ ଗତିପଥ ବାବଦରେ ଏବେଠୁ ପୂର୍ବାନୁମାନ କରିହେଉନି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହା କେଉଁ ଦିଗକୁ ଗତି କରିବ ଓ ଏହାର କ’ଣ ପ୍ରଭାବ ରହିବ, ସେ ବାବଦରେ ସ୍ପଷ୍ଟ କହିହେବ। ତେବେ ଆସନ୍ତା ୪ତାରିଖ ବେଳକୁ ଏହା ଘନୀଭୂତ ହୋଇ ଉପକୂଳମୁହାଁ ହୋଇପାରେ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ବିଶେଷକରି ସମ୍ପୂର୍ଣ୍ଣ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଇଏମଡି ଡିଜି କହିଛନ୍ତି।

ଅପରପକ୍ଷେ ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ କମିସନର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ କହିଛନ୍ତି। ଏସଆରସି ଲେଖିଛନ୍ତି ଯେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେଣୁ ସମସ୍ତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ। ଏହି ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଉପକୂଳ ସହ ୬ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଲଘୁଚାପ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ଡିସେମ୍ବର ୨ ଓ ୩ତାରିଖରେ ବର୍ଷା ହୋଇପାରେ। ଏହାସହ ୨ତାରିଖରୁ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟା ପ୍ରତି ୭୦କିମି ବେଗରେ ପବନ ବହିବାର ଥିବାରୁ ମତ୍ସ୍ୟଜୀବୀମାନେ ଏହା ପୂର୍ବରୁ ସମୁଦ୍ରରୁ ଫେରିଆସିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe