ବର୍ଷାର ବନ୍ୟା ଧମକ ! ଲଗାଣ ବର୍ଷା ସୃଷ୍ଟି କରିପାରେ ବନ୍ୟା ପରିସ୍ଥିତି । କେତେ ସରିଛି ନଦୀବନ୍ଧ କାମ, କେତେ ସଜାଗ ପ୍ରଶାସନ ?

268

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଲାଗିରହିବ ବର୍ଷା । ଆଜି ଠାରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସାରା ଓଡିଶାରେ ବର୍ଷା ଜାରି ରହିବ । ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କାରଣରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ପଶ୍ଚିମ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଲଗାଣ ବର୍ଷା ହେବାକୁ ଥିବାରୁ ଓଡିଶାର ବିଭିନ୍ନ ଜିଲ୍ଲାକୁ ମଧ୍ୟ ଅରେଞ୍ଜ, ୟେଲୋ ଓ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।


ବୁଧବାର ଯାଏଁ ଲଗାଣ ବର୍ଷାରେ ଭିଜିବ ସାରା ଓଡିଶା, ଫୁଲିବ ଓଡିଶାର ବିଭିନ୍ନ ନଦୀ । ତୁହାକୁ ତୁହା ବର୍ଷାରେ ବିଭିନ୍ନ ସ୍ଥାନରେ ଜମିବ ଆଣ୍ଠିଏ ଆଣ୍ଠିଏ ପାଣି ଆଉ ଉବୁଟୁବ ହେବ ଗାଁରୁ ସହର । ଆକାଶରୁ କଳସୀରେ ପାଣି ଢାଳିଲା ପରି ବର୍ଷା ହେବା କାରଣରୁ ଅସ୍ତବ୍ୟସ୍ତ ହେବ ଜନଜୀବନ । ତାସହ ରାଜ୍ୟର ଅନେକ ନଦନଦୀରେ ଜଳସ୍ତର ବୃଦ୍ଧି ପାଇବ । ଯାହା ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।


ପାଣିପାଗ ବିଭାଗର ସୂଚନା ଅନୁସାରେ କାଲି ଠାରୁ ପଶ୍ଚିମ ଓଡିଶା ସହ ସାରା ରାଜ୍ୟରେ କୁର୍ଛତ୍ର ବର୍ଷିବ ଯାହା ବନ୍ୟା ପରି୍ସ୍ଥିତିି ସୃଷ୍ଟି କରିବ । ଗତ ବର୍ଷ ବନ୍ୟା କାରଣରୁ ଅନେକ କ୍ଷତି ସହିଛି ଓଡିଶା, ଅନେକ ହନ୍ତସନ୍ତ ହୋଇଛନ୍ତି ଓଡିଶାବାସୀ । ଉତ୍ତର ଓଡିଶା ସମେତ ଦକ୍ଷିଣ ଓଡିଶା ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲା । ନାଗାବଳି ନଦୀରେ ବନ୍ୟା ଆସିବା କାରଣରୁ କଳାହାଣ୍ଡି, କୋରାପୁଟ, ରାୟଗଡା ଓ ମାଲକାନଗିରି ଅଧାରୁ ଅଧିକ ଧୋଇ ଯାଇଥିଲା । ରାସ୍ତା ଉପରେ ବନ୍ୟା ପାଣି ଚାଲିବା ସହ ବଡ ବଡ ମନ୍ଦିର ବୁଡି ଯାଇଥିଲା । ଟ୍ରେନ ଲାଇନ, ବଡ ବଡ ପୋଲ ଭୁଶୁଡି ଭାସି ଯାଇଥିଲା । ଅନେକ ଗାଁ ଜଳବନ୍ଦୀ ହୋଇଥିଲା । ଲଗାଣ ବର୍ଷା ବନ୍ୟା ଆଣିଥିବାରୁ ପାଣିରେ ଭାସି ଓ କାନ୍ଥ ପଡି ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା । ଗତବର୍ଷର ଚିହ୍ନ ମନରୁ ନଲିଭୁଣୁ ଲଘୁଚାପ ଜନିତ ବର୍ଷା ଖବର ବନ୍ୟା ଆଶଙ୍କାକୁ ଦ୍ୱିଗୁଣିତ କରିଛି । ବନ୍ୟା ବିପନ୍ନଙ୍କ ନିଦ ହଜାଇ ଦେଇଛି ।

ତେବେ ଗତ ବର୍ଷ ବନ୍ୟାରେ ଧୋଇ ଯାଇଥିବା, ଭାଙ୍ଗି ଯାଇଥିବା ପୋଲର କାମ ଏଯାଏଁ ସରିନି । ଅନେକ ନଦୀବନ୍ଧ ଏବେବି ମୁକୁଳା ରହିଛି । ଖରା ଦିନରେ ଯେଉଁ କାମ ସରିବା କଥା ସେ କାମସବୁ ଏ ଯାଏଁଏ ଶେଷ କରିପାରିନି ପୂର୍ତ୍ତ ବିଭାଗ । ମାଲାକାନଗିରିର ୨ରୁ ୩ଟି ପୋଲ, ଚାନ୍ଦବାଲି ଓ ଜଗତସିଂହପୁରର ନଦୀବନ୍ଧ କାମ ସହ ଏମିତି ବନ୍ୟା କ୍ଷତିଗ୍ରସ୍ତ ଓ ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ କାମ ସାରିପାରୁନି ପୂର୍ତ୍ତ ବିଭାଗ ଯାହା ଫଳରେ ଏବର୍ଷ ବି ପୂର୍ବର ବନ୍ୟା ଚିତ୍ର ଦୋହରିବ ବୋଲି ସନ୍ଦେହ ହେଉଛି ।

ଚାନ୍ଦବାଲିର ବୈତରଣୀ, ସାଳନ୍ଦୀ ନଦୀରେ ବନ୍ଧ ନିର୍ମାଣ ସରିନଥିବା ବେଳେ ବନ୍ୟା ଆସିଲେ ନଦୀକୂଳିଆ ଗାଁସବୁ ଜଳବନ୍ଦୀ ହେବ ବୋଲି ଆଶଙ୍କା କରାଯାଉଛି । ତେବେ ପାଣିପାଗ ବିଭାଗ ଅନୁମାନ କରିଥିବା ଏ ବଡ ବର୍ଷା କାରଣରୁ ଅର୍ଥାତ ଲଗାଣ ବର୍ଷା ଯୋଗୁଁ ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତେବେ ପ୍ରଶାସନ ଏହାର ମୁକାବିଲା କରିବାକୁ କେତେ ସଜାଗ ହୋଇ ରହିଛି ଏହା ଏକ ବଡ ପ୍ରଶ୍ନ ଛିଡା କରିଛି ।