ହିନସ୍ତା କଲାଣି ଲଘୁଚାପ ଜନିତ ଲଗାଣ ବର୍ଷା । କେଉଁଠି ବନ୍ୟା ପାଣି ଗାଁ ଭିତରେ ପସିଲାଣି ତ ଆଉ କେଉଁଠି ଚାଷ ଜମିକୁ ନଷ୍ଟ କରିପକାଇଲାଣି

232

କନକ ବ୍ୟୁରୋ : ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେନ୍ଦ୍ରାପଡା ଗୋବରୀ ନଦୀର ବନ୍ୟା ପାଣିରେ ଡେରାବିଶ ବ୍ଲକର ନୋଳାପାଟରେ ହଜାର ହଜାର ହେକ୍ଟର ଚାଷ ଜମି ବୁଡି ରହିଛି । ରଘୁଦେଇପୁର, ଛୋଟି,ମଙ୍ଗଳପୁର,ବେଣିପୁରର ପ୍ରାୟ ୨୦ଟି ପଂଚାୟତରେ ଧାନ ବିଲରେ ପାଣି ବୁଡି ରହିଛି । ଜମିରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଅନେକ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ସେପଟେ ବାଙ୍କୀରେ ପ୍ରବେଶ କରିଛି ମହାନଦୀର ପ୍ରଥମ ବନ୍ୟାଜଳ ।

ଫଳରେ ବାଙ୍କୀର ତାଳବସ୍ତ ଓ ବାଲିପଡାରୁ ବାଙ୍କୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତାଳବସ୍ତକୁ ବାଙ୍କୀ ଯାତାୟତ କରୁଥିବା ରାସ୍ତା ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ଅନେକ ତଳିଆ ଅଂଚଳରେ ବନ୍ୟାପାଣି ପ୍ରବାହିତ ହେଉଛି । ଫଳରେ ହେକ୍ଟର ହେକ୍ଟର ଧାନ ଓ ପରିବା ଫସଲ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । ଏପଟେ କିଛି ଦିନ ତଳେ ନିଅଂଟିଆ ବର୍ଷା ଯୋଗୁ ଜଗତସିଂହପୁର ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ଲଗାଣ ବଷା ପାଇଁ ଧାନ ଜମିରେ ଆଣ୍ଠୁଏ ଉଚ୍ଚର ପାଣି । ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ଧାନ ଗଛ ପଚିଗଲାଣି ।

ଲଗାଣ ବର୍ଷା ଯୋଗୁ ୮ଟି ବ୍ଲକ ବାଲିକୁଦା,ବିରିଡି, ଏରସମା, ନାଉଗାଁ, ରଘୁନାଥପୁର,କୁଜଙ୍ଗ, ତିର୍ତୋଲ, ଓ ଜଗତସିଂହପୁର କିଛି ଅଂଚଳରେ ପ୍ରାୟ ୪୦ ହଜାର ହେକ୍ଟର ଜମିରେ ବର୍ଷା ପାଣି ଜମି ରହିଛି । ସରକାରୀ ସୂଚନା ଅନୁସାରେ ଜିଲ୍ଳାରେ ୮୬ ହଜାର ହେକ୍ଟର ଚାଷ ଜମି ରହିଛି । ଏଥିରେ ଲକ୍ଷେ ୨୨ ହଜା ଚାଷୀ ଧାନ ଚାଷ କରନ୍ତି । ଏବେ ଲଗାଣ ବର୍ଷା ଯୋଗୁଁ ଧାର କରଜ କରି ଚଷେ କରିଥିବା ଚାଷୀ ହତାଶ ହୋଇପଡିଛନ୍ତି ।

ପୁଣି ଦାଉ ସାଜିଲା ବର୍ଷା । ଧାନ ବିଲରେ ଖେଲୁଛି ମୀନ । ଜାଲ ବସାଇ ମାଛ ଧରିଲେ ଚାଷୀ । ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଉଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ମହୁରା, କେତକିପାଟଣା,ରାଯଖଣ୍ଡି ପଂଚାୟତରେ ଚାଷ ଜମିରେ ବର୍ଷା ପାଣିରେ ପଚି ନଷ୍ଟ ହେବାକୁ ବସିଲାଣି ଫସଲ । ପ୍ରଥମେ ଲଗାଣ ବର୍ଷା ପରେ ବନ୍ୟା ଜଳ ଚାଷ ଜମିରେ ଜମି ରହିଥିବାରୁ ଧାନ ଗଛ ପଚି ନଷ୍ଟ ହୋଇଛି । ଚାଷୀର ହଜାର ହଜାର ହେକ୍ଟର ଧାନ ଫସଲ କ୍ଷ଼ତିଗ୍ରସ୍ତ ହେବାକୁ ବସଲାଣି । କେମିତି ଫସଲ ବଂଚେଇବେ ସେନେଇ ଚିନ୍ତାରେ ଚାଷୀ ।