ଆହୁରି ୪ ଦିନ ପ୍ରବଳ ବର୍ଷା । ଅସରାଏ ବର୍ଷାରେ ଟ୍ୱିନ୍ ସିଟିର ଅବସ୍ଥା ଘାଇଲା । ରାଜରାସ୍ତା ଉପରେ ଲହଡ଼ି ମାରିଲା ଆଂଠୁଏ ପାଣି, ଯାତାୟତ ପାଇଁ ଲୋକେ ନାକେଦମ୍ ।

1,041

କନକ ବ୍ୟୁରୋ : ଅସରାଏ ବର୍ଷାରେ ବେହାଲ ହୋଇଛି ସ୍ମାର୍ଟ ସିଟି ଭୁବନେଶ୍ୱର । କଟକ ସହର ଭିତରେ ପାଣିର ସୁଅ ଚାଲିଛି । କେବଳ ଟ୍ୱିନ୍ ସିଟି ନୁହେଁ, ଲଘୁଚାପ ପ୍ରଭାବରେ ଅଧାରୁ ଅଧିକ ଓଡ଼ିଶାରେ ବର୍ଷା ଭିଜିଛି । ବର୍ଷାର ଏହି ତାଣ୍ଡବ ଆହୁରି ୪ ଦିନ ଧରି ରହିବ ବୋଲି ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ଗଂଜାମ, ଅନଗୁଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଆଉ ୧୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କଟକ-ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଇ ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ଲଘୁଚାପ ବର୍ଷାରେ ବେହାଲ ହୋଇପଡିଛି କଟକ ଓ ଭୁବନେଶ୍ୱର । ମଧ୍ୟାହ୍ନରେ କଳାହାଣ୍ଡିଆ ମେଘ ମାଡି ଆସିଥିଲା । ଦିନ ଦ୍ୱିପହରରେ ଆକାଶରେ ଅନ୍ଧାର ଛାଇ ଯାଇଥିଲା । ଆଉ ଛେଚିଥିଲା ବର୍ଷା । କିଛି ସମୟ ଭିତରେ ରାଜଧାନୀର ଜନପଥ ଠାରୁ ରାଜପଥ ପର୍ଯ୍ୟନ୍ତ ଆଣ୍ଠୁଏ ପାଣିର ସୁଅ ଛୁଟିଥିଲା । ଭୁବନେଶ୍ୱରର ବମିଖାଲ, ରସୁଲଗଡ଼, ଲକ୍ଷ୍ମୀସାଗରଠାରୁ ଆରମ୍ଭ କରି ଜୟଦେବ ବିହାର, ଇସକନ୍ ମନ୍ଦିର ଆଗରେ ଜଳମଗ୍ନ ହୋଇଯାଇଥିଲା । ଏପଟେ ଜନପଥ ଅବସ୍ଥା ଆହୁରି ଶୋଚନୀୟ ହୋଇ ଉଠିଥିଲା ।

ରାଜଧାନୀ ଭଳି କଟକରେ ବି ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଥିଲା । ଅସରାଏ ବର୍ଷାରେ ଟ୍ୱିନ୍ ସିଟିର ତଳିଆ ଅଂଚଳ ଅବସ୍ଥା ଦୟନୀୟ ହୋଇପଡିଥିଲା । ଯୁଆଡକୁ ଅନାଇଲେ ଦେଖିବାକୁ ମିଳିଥିଲା ପାଣିର ସୁଅ ।

କେବଳ କଟକ-ଭୁବନେଶ୍ୱର ନୁହେଁ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଅଧା ଓଡ଼ିଶାରେ ବର୍ଷା ଜାରି ରହିଛି । ତେବେ ଏହି ବର୍ଷାର ତାଣ୍ଡବ ଆହୁରି ୪ ଦିନ ଧରି ଧରିବ ବୋଲି ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ୩ ଅକ୍ଟୋବର ସକାଳୁ ୪ ଅକ୍ଟୋବର ସକାଳ ପର୍ଯ୍ୟନ୍ତ କଳାହାଣ୍ଡି, କନ୍ଧମାଳ, ଗଂଜାମ, ଅନଗୁଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଗଜପତି, ରାୟଗଡ଼ା, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗିର, କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା, ଢେଙ୍କାନାଳ ଓ ସୋନପୁରରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

୪ ଅକ୍ଟୋବର ସକାଳୁ ୫ ଅକ୍ଟୋବର ସକାଳ ପର୍ଯ୍ୟନ୍ତ । ୧୧ ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, କୋରାପୁଟ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ବୌଦ୍ଧ, ଅନଗୁଳ, କଟକ, ଦେଓଗଡ଼, ଗଜପତି ଓ ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ଟ୍ୱିନ୍ ସିଟି ପାଇଁ ସ୍ୱତନ୍ତ୍ର ୱାର୍ଣ୍ଣିଂ ବୁଲେଟିନ୍ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ରାଜ୍ୟରେ ୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ମଝିରେ ମଝିରେ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛି ଆଇଏମଡି ।