୧୧ରେ ଆସୁଛି ଆଉ ଏକ ଲଘୁଚାପ : ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

317

କନକ ବ୍ୟୁରୋ : ୧୧ରେ ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରର ଉତ୍ତର ଦିଗରେ ଆଉ ଏକ ଲଘୁଚାପ ଏବେ ଦାନା ବାନ୍ଧୁଛି । ଆଗାମୀ ୪୮ଘଣ୍ଟା ମଧ୍ୟରେ ଏହା ସ୍ପଷ୍ଟ ଚିହ୍ନିତ ହେବା ସହ ୧୧ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ଉପକୂଳରେ ଏହି ନୂତନ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବ । ଏହା ପ୍ରଭାବରେ ପ୍ରାୟ ଏକ ସପ୍ତାହ କିମ୍ବା ଅଧିକ ସମୟ ଯାଏଁ ପୂର୍ବ ଏବଂ କେନ୍ଦ୍ରୀୟ ଅଂଶଗୁଡିକ ଉପରେ ମୌସୁମୀ ବର୍ଷା ଲାଗି ରହିବ ଏବଂ ମୌସୁମୀ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି । ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିଲା, ତାହାର ଭରଣା ହେବ ବୋଲି କୁହାଯାଉଛି ।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡିଶାର ଅଧିକାଂଶ ଜିଲ୍ଲାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ପାଗିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ । କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ବି ରହିଛି । ୯ ତାରିଖରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ହିସାବ ଅନୁଯାୟୀ ୧ ଜୁନ୍‌ରୁ ୭ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୭୨୧.୯ ମିମି ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୯୯୨.୫ ମିମି ବର୍ଷା ହୋଇଥାଏ। ତେଣୁ ସେପ୍ଟେମ୍ବର ୭ଦିନର ବର୍ଷା ଅଭାବୀ ବର୍ଷାର ପରିମାଣକୁ ମାତ୍ର ୨% କମାଇବାରେ ସକ୍ଷମ ହୋଇଛି । ଏବେ ବି ରାଜ୍ୟରେ ୨୭% ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ ଓ ନୂଆପଡ଼ା ଆଦି ୧୦ ଜିଲ୍ଲାରେ ବର୍ଷାର ପରିମାଣ ସ୍ବାଭାବିକ ରହିଛି । ୨୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ତନ୍ମଧ୍ୟରୁ ୫ଜିଲ୍ଲାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଯାଇଛି । ଭଦ୍ରକ, ବଲାଙ୍ଗୀର, ଯାଜପୁର, ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ଜିଲ୍ଲାରେ ୪୦%ରୁ ଅଧିକ ଅଭାବୀ ବର୍ଷା ହୋଇଥିବ‌ା ଜଣାପଡ଼ିଛି ।