ଗଭୀର ଅବପାତର ରୂପ ନେଲା ଅବପାତ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ।

134

କନକ ବ୍ୟୁରୋ: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ପରେ ଉତ୍ତର-ପଶ୍ଚିମ ଦିଗକୁ ଗତିକରୁଛି । ବାଲେଶ୍ୱର ଓ ସାଗର ଆଇଲ୍ୟାଣ୍ଡ ମଧ୍ୟରେ ଗଭୀର ଅବପାତ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ ମୁହାଁହେବ । ଏହାର ପ୍ରଭାବରେ ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ପବନର ବେଗ ମଧ୍ୟ ବଢ଼ିବ ।

ରେଡ୍ ୱାର୍ଣ୍ଣିଂ
କେଉଁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । 

ଅରେଞ୍ଜ ୱାର୍ଣ୍ଣିଂ
କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଯାଜପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ପବନ ପାଇଁ ସତର୍କତା
କେବଳ ବର୍ଷା ନୁହେଁ, ପବନର ବେଗ ମଧ୍ୟ ବଢ଼ିବ । ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ମଧ୍ୟରେ ପବନ ବହିପାରେ । ଯାହାର ଝଟକା ୭୦ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ । ୨୦ ତାରିଖରେ ମଧ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ ।

ଅରେଞ୍ଜ ୱାର୍ଣ୍ଣିଂ
ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ବନ୍ୟାବେଳେ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ଇବ ଓ ଭେଡେନ ନଦୀ ଅବବାହିକାରେ ବର୍ଷା ଅଧିକ ହେବା ଆଶଙ୍କା ରହିଛି । ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ସତର୍କ ନଜର ରଖାଯାଇଛି । ଓଡ୍ରାଫ, ଏନଡିଆରଏଫ, ଓ ଅଗ୍ନିଶମ ଟିମକୁ ପ୍ରସ୍ତୁତ ରଖାଯାଇଛି । ୨୦ ଓ ୨୧ ତାରିଖରେ ଛତିଶଗଡ଼ରେ ବର୍ଷା ହେବା ଆଶଙ୍କା ରହିଥିବାରୁ ମହାନଦୀ ସିଷ୍ଟମ ଉପରେ ନଜର ରଖିଛନ୍ତି ସରକାର ।