ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ । କେଦାରନାଥରୁ ୨୨ ଭକ୍ତ ଉଦ୍ଧାର, ବଦ୍ରିନାଥରେ ଭାସିଗଲା କାର 

239

କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ହୋଇଛି ପାହାଡି ଇଲାକା ଉତ୍ତରାଖଣ୍ଡ । କେରଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଥିବାବେଳେ ଉତ୍ତରାଖଣ୍ଡରେ ଭୂ ସ୍ଖଳନ ନେଇ ୨ ଦିନ ପାଇଁ ଆଲର୍ଟ ଜାରି କରିଥିଲା ଭାରତୀୟ ପାଣିପାଗ ବିଭାଗ । ସୋମବାର ରାତିରୁ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଫଳରେ ଭିନ୍ନ ଭିନ୍ନ ସ୍ଥାନରେ ଲୋକେ ଫସିରହିଥିଲେ । ଏସଡିଆରଏଫ ଟିମ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ତଥାପି ଆଗାମୀ ୨୪ ଘଂଟା ଉତ୍ତରାଖଣ୍ଡ ପାଇଁ ଗୁରୁତ୍ୱ ପୂର୍ଣ୍ଣ ବୋଲି କହିଛି ପାଣିପାଗ ବିଭାଗ ।

ଚମୋଲି ଇଲାକାରେ ପ୍ରବଳ ବର୍ଷା ଯୋଗୁଁ ମନ୍ଦାକିନି ନଦୀରେ ବନ୍ୟା ଆସିଛି । ଜଳସ୍ତର କ୍ରମାଗତ ବଢିବାରେ ଲାଗିଛି । ଗଙ୍ଗା ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଅନ୍ୟପଟେ ବଦ୍ରିନାଥ ରାଜମାର୍ଗ ନିକଟ ଦେଇ ଯାଇଥିବା ଲାମବଗଡ ନାଳରେ ବନ୍ୟା ଜଳ ଆସିବାରୁ ଯାତ୍ରୀଙ୍କ ସହ ଏକ କାର ଭାସିଯାଇଥିଲା । ହେଲେ ସୌଭାଗ୍ୟବସତଃ ଏହାକୁ ସୀମା ସଡକ ସଙ୍ଗଠନର  ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି । ୬ଟି ବିଭିନ୍ନ ସ୍ଥାନରେ ପାହାଡ ଧସିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । କହିରଖୁଁ କି, ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇଥିବା ବିପର୍ଯ୍ୟୟରେ ଏଯାଏଁ ୫ଜଣଙ୍କ ଜୀବନ ଗଲାଣି । ଅନ୍ୟପଟେ କେରଳରେ ବନ୍ୟାରେ ୩୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।