ବାତ୍ୟା ପ୍ରଭାବରେ ଦକ୍ଷିଣରେ ପ୍ରବଳ ବର୍ଷା: ଗଜପତିରେ ଶିକ୍ଷାନୁଷ୍ଠାନ ଛୁଟି

669

କନକ ବ୍ୟୁରୋ: ବାତ୍ୟାର ପ୍ରଭାବ ଓଡିଶାରେ ବି ଦେଖିବାକୁ ମିଳିଛି । ଦକ୍ଷିଣ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଜପତିରେ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି ବନ୍ଦ ରହିବ । ଆଜି ରାତିରୁ କାଲି ସକାଳ ଯାଏଁ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ତିନୋଟି ଜିଳ୍ଲାକୁ ଅରେଂଜ ଓ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ଯୋଗୁଁ ଚାଷୀ ବି ଟେନସନରେ ଅଛନ୍ତି ।

ବାତ୍ୟା ‘ମିଗଜୋମ’ ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା ଜାରି ରହିଛି । ମାଲକାନଗିରି, ରାୟଗଡା ଓ କୋରାପୁଟର କିଛି ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଛି । ଲ୍ୟାଣ୍ଡଫଲ ପରେ ସୀମାନ୍ତ ଜିଲ୍ଲାଗୁଡିକରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ରାତିରୁ ବୁଧବାର ସକାଳ ଯାଏଁ ବର୍ଷାର ପରିମାଣ ଅଧିକ ରହିବ ବୋଲି ଜଣାପଡିଛି । ଏଥିପାଇଁ
ଅରେଞ୍ଜ ୱାର୍ଣ୍ଣିଂ (ପ୍ରବଳରୁ ଅତି ପ୍ରବଳ ବର୍ଷା)
ମାଲକାନଗିରି, କୋରାପୁଟ, ରାୟଗଡା
୧୨ ସେମିରୁ ୨୦ ସେମ ି ବର୍ଷା
ୟେଲୋ ୱାର୍ଣ୍ଣିଂ (ପ୍ରବଳ ବର୍ଷା)
ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର
୭ ସେମିରୁ ୧୧ ସେମି ବର୍ଷା

ବାତ୍ୟା ପ୍ରଭାବରେ ବୁଧବାର ଗଜପତି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଅଙ୍ଗନୱାଡି ବି ବନ୍ଦ ରହିବ । ମୋହନାରେ ଝିପି ଝିପି ବର୍ଷା ଲାଗି ରହିଛି । ଗତ ରାତିଠାରୁ ବର୍ଷା ଲାଗି ରହିଥିବା ବେଳେ ଜନ ଜୀବନ ପ୍ରଭାବିତ ହୋଇଛି । ମୋହନା ବ୍ଲକରେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ହୋଇ ରହିଥିବାବେଳେ ନୋଡାଲ ଅଫିସର ଆଲର୍ଟ ଅଛନ୍ତି ।

ବର୍ଷା ଯୋଗୁଁ ଚାଷୀ ଏବେ ଚିନ୍ତାରେ । ଫସଲ ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅନେକ ଗାଁରେ ଫସଲ କାଟି ଚାଷୀ ବିଲରେ ଗଦା କରିଛନ୍ତି । ପ୍ରବଳ ବର୍ଷା ହେଲେ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । କିଏ ଧାନକୁ ଘୋଡାଇ ରଖିଛି ତ କିଏ ଖଳାକୁ ବୋହିନେଉଛି । ଆଭ୍ୟନ୍ତରୀଣ ଜିଲ୍ଲା ବଲାଙ୍ଗୀରରେ ଝିପି ଝିପି ବର୍ଷା ଯୋଗୁଁ ପାଚିଲା ଧାନ ଗଜା ହେବାର ଆଶଙ୍କା ରହିଛି । ଢେଙ୍କାନାଳରେ ବର୍ଷା ଭୟରେ ଧାନ ନଷ୍ଟ ହେବା ଆଶଙ୍କା କରି ଚାଷୀ ମାନେ ରାତି ସାରା ମେସିନ ଲଗାଇ ଧାନ କାଟିଛନ୍ତି । ଅନେକ ଜିଲ୍ଲାରେ ଚଳିତବର୍ଷ ବର୍ଷା ଅଭାବରୁ ବହୁ ଫସଲ ନଷ୍ଟ ହୋଇଛି । ଆଉ ଏବେ ଅଦିନିଆ ବର୍ଷା ଚାଷଙ୍କ ମୁଣ୍ଡବ୍ୟଥା ବଢାଇଦେଇଛି ।