ଲଗାଣ ବର୍ଷା ହେଲା କାଳ: ପାଣିରେ ବୁଡିଲା ଚେନ୍ନାଇ, ପାଣିପାଗ ବିଭାଗର ସୂଚନା, ଆହୁରି ତିନି ଦିନ ହେବ ପ୍ରବଳ ବର୍ଷା

106

କନକ ବ୍ୟୁରୋ: ତାମିଲନାଡୁରେ ଜାରିରହିବ ବର୍ଷାର ତାଣ୍ଡବ । ଆଗାମୀ ୩ ଦିନ ପାଇଁ ରେଡ ଆଲର୍ଟ ଜାରି କରିଲା ଭାରତୀୟ ପାଣିପାଗ ବିଭାଗ । ପ୍ରବଳ ବର୍ଷା ଫଳରେ ରାଜ୍ୟରେ ଅନେକ ସ୍ଥାନରେ ସ୍ଥିତି ସାଂଘାତିକ୍ ହୋଇ ପଡିଛି । ଖାସକରି ପ୍ରଭାବିତ ହୋଇଛି ଚେନ୍ନାଇ । ରାଜ୍ୟରେ ୫ ଜଣଙ୍କ ଜୀବନ ନେଲାଣି ଲଗାଣ ବର୍ଷା ।

ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜାରି ରହିଛି ବର୍ଷାର ପ୍ରକୋପ । ଘର ଦ୍ୱାର, ରାସ୍ତା ଘାଟ ସବୁକିଛି ବର୍ଷା ପାଣିରେ ବୁଡି ଯାଇଛି । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାମିଲନାଡୁର ବିଭିନ୍ନ ସ୍ଥାନରେ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ଆଇଏମଡି । ବଂଗୋପସାଗରରେ ଲଘୁଚାପ କାରଣରୁ ଆଗାମୀ ନଭେମ୍ବର ୧୧ ପର୍ଯ୍ୟନ୍ତ ରାଜ୍ୟରେ ଜାରିରହିବ ବର୍ଷା । ସେହିପରି ରାଜ୍ୟର ଅନେକ ସ୍ଥାନରେ ବର୍ଷା ପାଣିରେ ବୁଡିବା ନେଇ ମଧ୍ୟ ଆଗୁଆ ସୂଚାଇଦେଇଛି ଆଇଏମଡି ।

ସହରରେ ଜଳବନ୍ଦୀ ଏବେ ଏକ ପ୍ରମୁଖ ସମସ୍ୟା ସାଜିଛି । ଚେନ୍ନାଇରେ ବର୍ଷା କାରଣରୁ ଅନେକ ସ୍ଥାନ ବୁଡିରହିଛି । ତେବେ ଏ ବାବଦରେ ମାଡ୍ରାସ ହାଇକୋର୍ଟ ଚେନ୍ନାଇ ନଗର ନିଗମ କୁ ପ୍ରଶ୍ନ କରିଛନ୍ତି । ୨୦୧୫ ପରେ ଜଳବନ୍ଦୀ ଅସୁବିଧାକୁ ଦୂର କରିବା ପାଇଁ ସିଏମସି କଣ ପଦକ୍ଷେପ ନେଇଛି, ସେ ନେଇ ପ୍ରଶ୍ମ କରିଛନ୍ତି ହାଇକୋର୍ଟ । ସେହିପରି ପରିସ୍ଥିତି ନିୟନ୍ତ୍ରିତ ନହେଲେ ସ୍ୱତଃ ପ୍ରକ୍ରିୟା ଆରମ୍ଭ କରିବା ନେଇ ଚେତାବନୀ ଦେଇଛନ୍ତି ହାଇକୋର୍ଟ । ଏପଟେ ଆଜି ବର୍ଷା ଦ୍ୱାରା ରାଜ୍ୟର ହେଇଥିବା କ୍ଷତିର ଜବାବ ରଖିଛନ୍ତି ତାମିଲନାଡୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ମନ୍ତ୍ରୀ କେକେଏସଏସଆର ରାମଚନ୍ଦ୍ରନ କହିଛନ୍ତି ୫୦୦ ରୁ ଅଧିକ ଘର ବର୍ଷା କାରଣରୁ କ୍ଷତିଗ୍ରସ୍ତ ହୋଇଛି । ସେହିପରି ୫ ଜଣ ଲୋକଙ୍କ ଜୀବନ ମଧ୍ୟ ନେଇଛି ଭାରି ବର୍ଷା । ତେବେ କୌଣସି ବିପତିକୁ ଦୃଷ୍ଟିରେ ରଖି ଚେନ୍ନାଇରେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରଖାଯାଇଛି । ସେହିପରି ଉପକୁଳବର୍ତି ଅଂଚଳରେ ନିୟୋଜିତ ହୋଇଛନ୍ତି ଏନଡିଆରଏଫ ଟିମ୍ ।

ରାଜ୍ୟର ଏବେ ସ୍ଥିତି ଖରାପ ଥିବାବେଳେ ଆଗାମୀ ୩ ଦିନ ବର୍ଷା ହେଲେ ରାଜ୍ୟରେ ସ୍ଥିତି ବିଗିଡିବାର ସମ୍ଭାବନା ରହିଛି । ତେବେ ଦେଖିବାକୁ ବାକି ରହିଲା ତାମିଲନାଡୁ ସରକାର ଏହି ବିପର୍ଯ୍ୟୟକୁ କିପରି ମୁକାବିଲା କରୁଛନ୍ତି ।