ଆସୁଛି ଘୂର୍ଣ୍ଣିବଳୟ, ଲଘୁଚାପ ସମ୍ଭାବନା ! ୭ରୁ ୯ ଯାଏଁ ପ୍ରବଳ ବର୍ଷା

59

କନକ ବ୍ୟୁରୋ: ଆସନ୍ତା ୭ ତାରିଖ ବେଳକୁ ଓଡ଼ିଶା ଉପକୂଳକୁ ପହଞ୍ଚିପାରେ ଘୂର୍ଣ୍ଣିବଳୟ । ଏହା ଲଘୁଚାପର ରୂପ ନେବାର ସମ୍ଭାବନା ଅଧିକ । ଏହାର ପ୍ରଭାବରେ ଆସନ୍ତା ୭ରୁ ୯ ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଅନ୍ୟ ସ୍ଥାନଗୁଡ଼ିକରେ ବି ବର୍ଷିବ । ପରେ ବର୍ଷାର ପରିମାଣ କମିଯିବ। ଗତକାଲି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ସୂଚନାନୁସାରେ, ସୋମବାର ଦିନ ଉତ୍ତର ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ପଶ୍ଚିମବଙ୍ଗର ଗାଙ୍ଗେୟ ଅବବାହିକାକୁ ଗତି କରିଛି । ଏହାର ପ୍ରଭାବରେ ଉତ୍ତର, ଦକ୍ଷିଣରେ କାଁ ଭାଁ ବର୍ଷା ଲାଗି ରହିଛି । ମୌସୁମୀ ସକ୍ରିୟ ଥିବା ଯୋଗୁଁ ବାୟୁମଣ୍ଡଳରେ ଏବେ ଜଳୀୟବାଷ୍ପ ରହିଥିବାରୁ ସାମାନ୍ୟ ତାତି ବଢ଼ିଲେ ଘଡ଼ଘଡ଼ି ସହିତ ମିଶି ବର୍ଷା କରାଉଛି । ତେବେ ଘୂର୍ଣ୍ଣିବଳୟର ପ୍ରଭାବ କ୍ରମଶଃ ଅପସରି ଯିବା ପରେ ବର୍ଷାର ପରିମାଣ ବି କମିଯିବ ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ, ଥାଇଲ୍ୟାଣ୍ଡ ଉପକୂଳକୁ ଗତି କରିଥିବା ଘୂର୍ଣ୍ଣିବଳୟ ଆଗାମୀ ୭ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ଆସି ପହଞ୍ଚିବ । ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ବି ରହିଛି । ଏହାର ପ୍ରଭାବରେ ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଗଂଜାମ, ନୟାଗଡ଼, ଗଜପତି ଆଦି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ଅନ୍ୟ ସ୍ଥାନଗୁଡ଼ିକରେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଗତ ୪୮ ଘଣ୍ଟା ମଧ୍ୟରେ ଜେନାପୁରରେ ସର୍ବାଧିକ ୮୦ ମିଲିମିଟର ବର୍ଷା ହୋଇଥିଲା । ଏହା ପଛକୁ ପାରାଦୀପ, କୋରାପୁଟର ପଟାଙ୍ଗୀ, ବୌଦ୍ଧରେ ୭୦ ମି.ମି., କାମାକ୍ଷାନଗର, ଲଇକେରାରେ ୬୦ ମି.ମି., ଯମନକିରା, ବନ୍ତ, ପାଇକମାଳ, ନର୍ଲା, ବୌଦ୍ଧର କଣ୍ଟାମାଳ, କାଶୀନଗର ଆଦି ସ୍ଥାନରେ ପ୍ରାୟ ୪୦ ମି.ମି. ବର୍ଷା ହୋଇଥିଲା ।