ଲଘୁଚାପ ପାଇଁ ଜାରି ରହିଛି ଲଗାଣ ବର୍ଷା । ତୁହାକୁ ତୁହା ବର୍ଷାରେ ବୁଡି ରହିଛି ପୂରା ଓଡିଶା । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି, ୫ ଦିନ ଯାଏଁ ସତର୍କ ସୂଚନା

779

କନକ ବ୍ୟୁରୋ: ୱେଲମାର୍କ ଲୋ ପ୍ରେସର ଏବେ ଝାଡଖଣ୍ଡର ଦକ୍ଷିଣ ପଶ୍ଚିମ ଦିଗରେ ଉତ୍ତର ଓ ଅଭ୍ୟନ୍ତରୀଣ ଓଡିଶା ଉପରେ ରହିଛି । ସମୁଦ୍ର ପତନରୁ ଏବେ ଲଘୁଚାପ ୭.୬ କିଲୋମିଟର ଉପରେ ରହିଛି । ଏହାର ପ୍ରଭାବରୁ ପଶ୍ଚିମ ଓଡିଶାରେ ବିଶେଷ କରି ବର୍ଷା ପ୍ରବଳ ରହିବ । ବରଗଡ , ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ନୂଆପଡା, ବଲାଙ୍ଗିର , ସୋନପୁର ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ପ୍ରବଳ ବର୍ଷା ରହିଥିବା ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୫ ଦିନ ପାଇଁ ଏହି ଜିଲ୍ଲା ଗୁଡିକୁ ସତର୍କତା ଜାରି ହୋଇଛି ।

ଏହା ସହିତ ଉପକୂଳ ଓଡିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ । ଗତ ୨୪ ଘଂଟାରେ ରାଜ୍ୟରେ ତେଲକୋଇ ଏବଂ ଲାଇକେରାରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ୬ ଟି ଜିଲ୍ଲା ଜଗତସିଂହପୁର, ଦେବଗଡ, ସୁନ୍ଦରଗଡ, ସଂବଲପୁର, ଅନୁଗୁଳ ଏବଂ ବୌଦ୍ଧରେ ଗତ ୨୪ ଘଂଟାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ପ୍ରଥମ ଥର ପାଇଁ ୨୭ ଅଗଷ୍ଟରେ ସ୍ୱାଭାବିକ ଠାରୁ ୧୦ ପ୍ରତିଶତ ଅଧିକ ବର୍ଷା ହୋଇଥାଏ । କେବଳ ଅଗଷ୍ଟ ମାସରେ କେବଳ ୫୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ସେହିପରି ରାଜ୍ୟର ୧୫ଟି ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ତେବେ ଆସନ୍ତା ୨୪ ଘଂଟାରେ ରାଜ୍ୟର ପଶ୍ଚିମଓଡିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଛତିଶଗଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ସଂଭାବନା ରହିଥିବା ପୂର୍ବାନୁମାନ କରାଯାଇଛି ।