ଆଜିଠୁ ବର୍ଷିବ, ବନ୍ୟା ଆଶଙ୍କା : ୧୮ରୁ ଦ୍ବିତୀୟ ପର୍ଯ୍ୟାୟରେ ପ୍ରବଳ ବର୍ଷା; ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

4,130

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ଉତ୍ତରପୂର୍ବ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହାକି ପରବର୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବ। ଫଳରେ ଜୁନ୍‌ ୧୦ରୁ ୧୪ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଥିବାରୁ ବର୍ଷା ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଲଘୁଚାପ ଓ ମୌସୁମୀ ପ୍ରବେଶ ପ୍ରଭାବରେ ଜୁନ୍‌ ୧୦ ଓ ୧୧‌ରେ ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ସମ୍ବଲପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, ଖୋର୍ଧା, ପୁରୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହ ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୧୨ ଓ ୧୩ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ଏଥିସହ ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଦେବଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ସମ୍ଭାବ୍ୟ ବର୍ଷା ଓ ବନ୍ୟାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ଚିଠି ଲେଖାଯାଇ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି। ଜୁନ୍‌ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ଥିବା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟକୁ ୨୪ ଘଣ୍ଟା ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି। ସମ୍ଭାବ୍ୟ ଭୂସ୍ଖଳନ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ପଦକ୍ଷେପ ନେବେ। ମାଟି ଘର ତଥା ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର, ଇଞ୍ଜିନିୟରଙ୍କ ଦ୍ବାରା

ନଦୀ ଓ କେନାଲର ଦୁର୍ବଳ ବନ୍ଧ ଚିହ୍ନଟ, ବନ୍ୟା ମୁକାବିଲା ଲାଗି ଆବଶ୍ୟକ ସାମଗ୍ରୀ ମହଜୁଦ୍‌ ରଖିବା, କେନାଲରେ ବନ୍ୟା ତଥା ବର୍ଷା ଜଳ ଛାଡ଼ିବା, ସହରାଞ୍ଚଳରୁ ବର୍ଷା ଜଳ ନିଷ୍କାସନ, ଅଗ୍ନିଶମ କର୍ମଚାରୀଙ୍କୁ ସଜାଗ ରଖିବାକୁ କୁହାଯାଇଛି। ଉଦ୍ଧାର କାର୍ଯ୍ୟ ସମୟରେ କରୋନା କଟକଣା ପାଳନ, ଉଦ୍ଧାର ହେଉଥିବା ଲୋକଙ୍କୁ ମାଗଣା ଖାଦ୍ୟ, ପାନୀୟ, ଲାଇଟ୍‌, ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ସହ ଆବଶ୍ୟକୀୟ ପରିମାଣର ଚାଉଳ, ଚୁଡ଼ା, ଗୁଡ଼ ମହଜୁଦ୍‌ ରଖିବାକୁ ନିର୍ଦେଶ ଦିଆଯାଇଛି। ୧୦ ତାରିଖ ସୁଦ୍ଧା ସମୁଦ୍ର କୂଳକୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯିବା ସହ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ କୁହାଯାଇଛି। ବର୍ଷା ତଥା ବନ୍ୟାରେ ଯଦି ଘର ଭାଙ୍ଗେ ତେବେ ପଲିଥିନ୍‌ ଯୋଗାଣ, ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଓ ପ୍ରାଣୀ ଚିକିତ୍ସା ଦଳକୁ ସଜାଗ ରଖିବା, ପ୍ରତିଦିନ ବର୍ଷା ରିପୋର୍ଟ ପ୍ରଦାନ, ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍‌, ଟେଲି କମ୍ୟୁନିକେସନ ଓ ରାସ୍ତା ମରାମତି, ବନ୍ୟା ଆଶଙ୍କା ଥିବା ‌ସ୍ଥଳକୁ ସାଧାରଣ ଲୋକଙ୍କୁ ବାରଣ କରିବା ଦିଗରେ ପଦକ୍ଷେପ ନେବାକୁ ଏସ୍‌ଆରସି କହିଛନ୍ତି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଜୁନ୍‌ ୧୧ରୁ ଆରମ୍ଭ ହେଉଥିବା ପ୍ରଥମ ପର୍ଯ୍ୟାୟ ମୌସୁମୀ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା କରାଇବ। କେନ୍ଦ୍ରାପଡ଼ା ଓ ଭଦ୍ରକରେ ସବୁଠାରୁ କମ୍‌ ବର୍ଷା ହେବ। ଆନ୍ଧ୍ର ଓ ଛତିଶଗଡ଼ ସୀମାନ୍ତବର୍ତୀ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ହେବ ଏବଂ ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷା ହୋଇପାରେ। ଆନ୍ଧ୍ର ଓ ଛତିଶଗଡ଼ ଅପେକ୍ଷା ଓଡ଼ିଶାରେ ଅପେକ୍ଷାକୃତ କମ୍‌ ବର୍ଷା ହେବ। ସମ୍ଭାବ୍ୟ ଅବପାତ ଅଭ୍ୟନ୍ତରୀଣ ଦକ୍ଷିଣ ଓ ସଂଲଗ୍ନ ପଶ୍ଚିମ ଓଡ଼ିଶାରେ ଥିବା ବେଳେ ଏହାର ଦକ୍ଷିଣ ଭାଗରେ ଅଧିକ ମେଘ ହେବ। ତେବେ ଜୁନ୍‌ ୧୮ରୁ ଲଘୁଚାପ ଜନିତ ଦ୍ବିତୀୟ ପର୍ଯ୍ୟାୟ ବର୍ଷା ସାରା ରାଜ୍ୟରେ ପ୍ରବଳ ବର୍ଷା କରାଇବ। ଯାହାକି ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଅଧିକ ରହିବ। ତେଣୁ ଚାଷୀମାନେ ବୁଣାବୁଣି ଓ ଧାନ ତଳି ପକାଇବ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମୌସୁମୀ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି। କାରଣ ଅତ୍ୟଧିକ ବର୍ଷା ଯୋଗୁଁ ଏହା ଧୋଇଯିବା ବା ପଚିଯିବାର ଆଶଙ୍କା ରହୁଛି।