୨୪ ଘଣ୍ଟା ମଧ୍ୟରେ ପୁଣି ଏକ ଲଘୁଚାପ ! ୧୮ରୁ ପ୍ରବଳ ବର୍ଷିବ, ଫିକା ପଡିପାରେ ଦୀପାବଳି

Advertisment
ଲଘୁଚାପ ପ୍ରଭାବରେ ରାଜ୍ୟରେ ହେବ ବର୍ଷା ! ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା

image courtesy-http://images.newindianexpress.com

କନକ ବ୍ୟୁରୋ : କେନ୍ଦ୍ରୀୟ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହେବ। ଏହାର ପ୍ରଭାବରେ ୧୮ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ପରେ ଉପକୂଳ, ଉତ୍ତର ଏବଂ ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ବର୍ଷିବ। ଓଡ଼ିଶା ଉପକୂଳରେ ଘଣ୍ଟାକୁ ୩୫ରୁ ୪୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଲଘୁଚାପ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇଲେ ପବନର ବେଗ ଆହୁରି ବଢ଼ିବ। ତେବେ ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତା’ର ରୂପରେଖ ସ୍ପଷ୍ଟ ହେବ।

ଗତକାଲି ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି। ଏହି ପୂର୍ବାନୁମାନ ଅନୁସାରେ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଅବପାତ ପୁଣି ଘନୀଭୂତ ହେବ। ଏହା ଦକ୍ଷିଣ ଓଡ଼ିଶା-ଆନ୍ଧ୍ର ଉପକୂଳ ଦିଗକୁ ଗତି କରିବ। ସମୁଦ୍ର ମଝିରେ ଥାଇ ଏହି ଲଘୁଚାପ ବଳ ଗୋଟାଉଛି। ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବେ ଦିନର ତାତି ଅଧିକ ରହୁଥିବାରୁ ଏହା ଲଘୁଚାପକୁ ଟାଣି ଆଣିବା ନିମନ୍ତେ ଅନୁକୂଳ ପାଗ ତିଆରି କରୁଛି। ଏଭଳି ଅବସ୍ଥା ବାତ୍ୟା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଅଧିକ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ସମ୍ଭାବ୍ୟ ବାତ୍ୟା ନେଇ କୌଣସି ଆଗୁଆ ସୂଚନା ନ ଥିବା ଦର୍ଶାଇଛନ୍ତି। ଏହା ସତ୍ତ୍ୱେ ବାତ୍ୟା ହେଲେ ତା’ର ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ସୂଚନା ମୁତାବକ ୧୮ ତାରିଖ ଅପରାହ୍ଣ୍ କିମ୍ବା ରାତିରୁ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୧୯ ଏବଂ ୨୦ ତାରିଖରେ ଉପକୂଳ, ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ପୁରୀ ଆଦି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୧ରୁ ବର୍ଷାର ପରିମାଣ କମିବ। କିନ୍ତୁ ସଂପୂର୍ଣ୍ଣ ବନ୍ଦ ହେବ ନାହିଁ। ସେତେବେଳକୁ ଗୋଟିଏ ଟ୍ରଫ୍ ଲାଇନ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ସୃଷ୍ଟି ହେଲେ ୨୩/୨୪ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe