କନକ ବ୍ୟୁରୋ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଓ୍ଵଲ୍ ମାର୍କ ଲୋପ୍ରେସରରେ ପରିଣତ ହୋଇଛି। ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଗୁରୁବାର ଓଡ଼ିଶାର ଅର୍ଧାଧିକ ଜିଲ୍ଲାରେ ବର୍ଷା ଆଶଙ୍କା ଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ରେଡ୍ ଆଲର୍ଟ ଜାରି ହୋଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଗୁରୁବାର ପୂର୍ବାହ୍ନ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, ଜଗତ୍ସିଂହପୁର, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Advertisment

publive-imageଏହାପରେ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ କମିବ। ହେଲେ ଉତ୍ତର, ପଶ୍ଚିମ ଓଡ଼ିଶା ସମେତ ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିବ। ଏହି ସମୟରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଶୁକ୍ରବାରଠାରୁ କିନ୍ତୁ ବର୍ଷା ପରିମାଣ କମିଯିବ। ଆଉ ବଡ଼ ବର୍ଷା ନାହିଁ। କାଁ ଭାଁ ବର୍ଷା ହେବ। ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଯେଉଁଭଳି ବର୍ଷା ଆକଳନ କରାଯାଉଥିଲା ସେଭଳି ହେବାର ନାହିଁ। ଆଉ ୨୪ ଘଣ୍ଟା ପରେ ବର୍ଷା କମିଯିବ। ରାତିରେ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଗୁରୁବାର ସନ୍ଧ୍ୟା ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ। ଗତ ୧୨ ଘଣ୍ଟାରେ ଚାନ୍ଦବାଲିରେ ସର୍ବାଧିକ ୭୩ ମିମି ବର୍ଷା ହୋଇଥିବା ବେଳେ ପାରାଦୀପରେ ୬୦, କେନ୍ଦୁଝରରେ ୩୩, ଭୁବନେଶ୍ୱରରେ ୨୪.୮, କଟକରେ ୨୪, ମାଲକାନଗିରିରେ ୧୭ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର କହିଛି