ବର୍ଷା କି ଜାଣେ ଭିଆଇପି କିଏ ? କଟକ ଜିଲ୍ଲାପାଳଙ୍କ ଘରେ ପଶିଲା ପାଣି, ଭୁବନେଶ୍ୱରରେ ଭାସିଲା କାର

57

କନକ ବ୍ୟୁରୋ : ଲଗାଣ ବର୍ଷାରେ ବିଗିଡି ଯାଇଛି ସାରା ରାଜ୍ୟର ଚିତ୍ର । ବର୍ଷା ପାଣିରେ ରାଜଧାନୀ ଭୁବନେଶ୍ୱର ଉବୁଟୁବୁ ହେଉଥିବା ବେଳେ କଟକରେ ଉକ୍ରଟ ସ୍ଥିତି । ରାସ୍ତାଘାଟରେ ଗାଡ଼ିମଟର ଭାଷୁଥିବା ବେଳେ ଘର ଭିତରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ପୁରୀ ବଡଦାଣ୍ଡରେ ପାଣି ଦେଖିଲେ ବଡ ଠାକୁରଙ୍କ ବାହୁଡ଼ା କେମିତି ହେବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏପଟେ ଉପାନ୍ତ ମାଲକାନଗିରି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ବନ୍ୟା ସ୍ଥିତି ସାଂଘାତିକ୍ ହେବାରେ ଲାଗିଛି । ହାତୀ ଓ ଇନ୍ଦ୍ରାବତୀ ନଦୀ ଫୁଲୁଥିବା ବେଳେ ଅନ୍ୟ ପ୍ରମୁଖ ନଦୀ ଗୁଡ଼ିକରେ ଜଳସ୍ତର ବଢ଼ିବାରେ ଲାଗିଛି । ଓଡ଼ିଶାର ବନ୍ୟାସ୍ଥିତିକୁ ନେଇ ଦେଖିବା ଏହି ରିପୋର୍ଟ ।

ବର୍ଷା ପାଣିରେ ଭାଷୁଥିବା କାର୍ ଦେଖିଲେ କହିବା ମୁସ୍କିଲ ଯେ, ରାସ୍ତାରେ ପାଣି ନା’ ପାଣିରେ ରାସ୍ତା । ପାଣି ସୁଅରେ ଭାସୁଥିବା କାର ହିଁ କହୁଛି ଭୁବନେଶ୍ୱର ବର୍ଷାର କାହାଣୀ । କେବଳ ରାସ୍ତାରେ ଥିବା କାର୍ ନୁହେଁ, ସୋ’ ରୁମ୍ ପରିସରରେ ଥିବା କାର ଗୁଡ଼ିକ ବି ପାଣିରେ ଉବୁଟୁବୁ । ରାଜପଥରେ ଯେଉଁ ଅବସ୍ଥା, ରେଳପଥରେ ତା’ଠୁ ଆହୁରୀ ଉକ୍ରଟ ଜନକ ସ୍ଥିତି । ରେଳପଥ ନା’ କେନାଲ ଭିତରେ ଟ୍ରେନ୍ ଯାଉଛି କହିବା ମୁସ୍କିଲ । ଚିତ୍ର ହେଉଛି କୋରାପୁଟ ଜିଲ୍ଲାର । ବର୍ଷା ଯୋଗୁଁ ଭାଲୁମାସ୍କା ନିକଟରେ ୪ଘଂଟା ଧରି ଅଟକି ରହିଥିଲା, ହୀରାଖଣ୍ଡ ଏକ୍ସପ୍ରେସ୍ । ଆଉ ଜଳବନ୍ଦୀ ହୋଇ ରହିଥିଲେ ରେଳଯାତ୍ରୀ । ଯାହା ଦର୍ଶାଉଥିଲା ବର୍ଷାର ଅସଲ ରୂପ ।

କେବଳ ଏତିକି ନୁହେଁ ବର୍ଷ ବର୍ଷ ଧରି ମଜବୁତ ହୋଇ ଛିଡ଼ା ହୋଇଥିବା କାନ୍ଥ ବି ଲଗାଣ ବର୍ଷାରେ ହାର୍ ମାନି ଯାଇଛି । ଭୁବନେଶ୍ୱର ବିମାନ ବନ୍ଦର ଏବଂ ରାଜଭବନ ଅଂଚଳରେ ଥିବା କାନ୍ଥ ଭୁଷୁଡି ପଡିଛି । ଚାରିପଟୁ ଯେବେ ପାଣି ଘେରିଯିବ ବାଲି-ସିମେଂଟର ଏହି ପାଚେରୀର ବା’ ଦମ୍ଭ କେତେ ? ଏହାଛଡା ଜୟଦେବ ବିହାର ଏବଂ ଆଚାର୍ଯ୍ୟ ବିହାର ଅଂଚଳର ଏହି ଚିତ୍ର ଦେଖିଲେ, କିଏ କେଉଁ ମୁହଁରେ ଭୁବନେଶ୍ୱରକୁ ସ୍ମାର୍ଟ ସିଟି କହିବ । ଘର ଭିତରେ ଆଂଣୁଏ ପାଣି । କେଇ ଘଂଟାର ବର୍ଷାରେ ଯେମିତି ଅଚଳ ହୋଇଯାଇଛି ରାଜଧାନୀର ଜୀବନ ଯାତ୍ରା ।

ବର୍ଷା ପାଣି କି ଜାଣେ, ଭିଆଇପି କିଏ ଆଉ ସାଧାରଣ ଲୋକ କିଏ । କଟକ ସହରରେ ସାଧାରଣ ଲୋକ ଉବୁଟୁବୁ ହେଉଥିବା ବେଳେ ଏଥିରୁ ବର୍ତି ପାରି ନାହାଁନ୍ତି କଟକ ଜିଲ୍ଲାପାଳ । କନିକା ଛକରେ ଥିବା ଜିଲ୍ଲାପାଳଙ୍କ ବାସଭବନ ଭିତରେ ଲହଡି ମାରୁଛି ବର୍ଷା ପାଣି । ଯେତେବେଳେ ଜିଲ୍ଲାପାଳଙ୍କ ବାସଭବନର ଏଭଳି ଅବସ୍ଥା ସାଧାରଣ ଲୋକଙ୍କ କଥା ପଚାରେ କିଏ । ତେବେ ଏସବୁ ଭିତରେ ସାଧାରଣ ଲୋକଙ୍କ କଥା ନକହିଲେ ଭଲ । ବର୍ଷା ୪ମାସ କେମିତି କଟିବ ତାହା ଭାବିଲା ବେଳକୁ ଲୋକଙ୍କ ଚିନ୍ତା ବଢ଼ି ଯାଉଛି । କାରଣ ଲଗାଣ ବର୍ଷାରେ ଘରେ ଭାସୁଥିବା ଏହି ଚିତ୍ର ହିଁ ବୟାନ କରୁଛି ବର୍ଷା ଦିନେ କେମିତି ବିତୁଛି ଲୋକଙ୍କ ଦିନ ।

ରାତି ପାହିଲେ ବାହୁଡ଼ା ଯାତ୍ରା । ହେଲେ ଶ୍ରୀକ୍ଷେତ୍ରର ଅବସ୍ଥା ଦେଖନ୍ତୁ । ଏହି ରାସ୍ତାରେ ଠାକୁରଙ୍କ ପହଣ୍ଡି ହେବ ନା’ ପହଁରା ହେବ ତାହା କହିବା କଷ୍ଟକର । କାରଣ ବଡ ଦାଣ୍ଡରେ ଆଂଣ୍ଠୁଏ ପାଣି । ଶରଧାବାଲିରେ ଅଟକି ରହିଥିବା ତିନି ରଥ ବି ଏକେ ବର୍ଷା ପାଣିରେ ବନ୍ଦୀ । କୋଣାର୍କରେ ଜଳବନ୍ଦୀ ଓଡ଼ିଶାର ଐତିହ୍ୟ । ସୂର୍ଯ୍ୟମନ୍ଦିରକୁ ଚାରିପଟୁ ଘେରି ରହିଛି ବର୍ଷା ଜଳ । ବର୍ଷା ପାଣି କୋଣାର୍କର କିର୍ତିରାଜିକୁ ଏମିତି ବାନ୍ଧି କରି ରଖିଛି, ସେଥିରୁ ମୁକୁଳିବା ଏବେ ସହଜ ନୁହେଁ । ଏପଟେ ଉପାନ୍ତ ରାୟଗଡ଼ା, ମାଲକାନଗିରି ଏବଂ କଳାହାଣ୍ଡି ଜିଲ୍ଲାରେ ବନ୍ୟା ସ୍ଥିତି । କଳାହାଣ୍ଡିରେ ହାତୀ ଓ ଇନ୍ଦ୍ରାବତୀ ନଦୀ ଫୁଲୁଥିବା ବେଳେ ବର୍ଷା ପାଣି ଯୋଗୁଁ ସେପଟେ ଜୟପୁର-ମାଲକାନଗିରି ଭିତରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆଉ ଏସବୁ ଭିତରେ ଉକ୍ରଟ ରହିଛି ରାୟଗଡ଼ା ଜିଲ୍ଲାର ସ୍ଥିତି ।ଏବେ ସାରା ରାଜ୍ୟରେ ସତର୍କତା ଜାରି କରିଥିବା ଆମ ପ୍ରଶାସନ, ବର୍ଷା ପୂର୍ବରୁ କେତେ ତତ୍ପର ଥିଲା ତାହା ସ୍ପଷ୍ଟ ଜଣାପଡୁଛି ।