ତାତିରୁ ମିଳିଲା ଆଶ୍ୱସ୍ତି । ପାଣିପାଗ ବିଭାଗର ଆକଳନ, ଆଗାମୀ ୫ ଦିନ ଘଡଘଡି ସହ ହୋଇପାରେ ବର୍ଷା ।

284

କନକ ବ୍ୟୁରୋ : ତାତିରୁ ମିଳିଛି ଆଶ୍ୱସ୍ତି । ଗତ ୨ ଦିନ ହେବ ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ ତାତିରୁ ଆଶ୍ୱସ୍ତି ଆଣି ଦେଇଛି । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୧୦.୮ ସେମି ବର୍ଷା ରେକର୍ଡ କରାଯାଇଛି । ସେହିଭଳି ୮ ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା ଘଡଘଡି । ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡି ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
୨୪ ତାରିଖରେ ରାଜ୍ୟରେ କିଛିମାତ୍ରାରେ କମିବ ବର୍ଷା । ତେବେ ୨୫ ତାରିଖରୁ ପୁଣି ବର୍ଷାର ପରିମାଣ ବଢିବ । ୨୬ରେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି କଳାହାଣ୍ଡି , ରାୟଗଡ଼ା , ଗଜପତି କନ୍ଧମାଳ ଓ ଗଞ୍ଜାମର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଗାମୀ ୪ରୁ ୫ ଦିନ ପାଇଁ ବିଜୁଳି ଘଡଘଡି ପାଇଁ ସତର୍କ ସୂଚନା ଦିଆଯାଇଛି । ଉପକୂଳ ଓଡ଼ିଶା ସମେତ ବଲାଙ୍ଗୀର , ନୂଆପଡ଼ା , ସୋନପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ଘଡଘଡି ବିଜୁଳି ମାରିବାର ସମ୍ଭାବନା ରହିଛି । ଏଣୁ ସତର୍କ ବାଣୀ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାକୁ ଛୁଇଁଛି ମୌସୁମୀ ସୂଚନା ଅନୁସାରେ ସୁନ୍ଦରଗଡ଼ , ଝାରସୁଗୁଡ଼ା , ମୟୂରଭଞ୍ଜ , କେଉଁଝର ଓ ବାଲେଶ୍ଵରର କିଛି ଅଞ୍ଚଳରେ ପହଞ୍ଚିନି ମୌସୁମୀ । ମୌସୁମୀ ପାଇଁ ଏବେ ପାଗ ଅନୁକୂଳ ରହିଛି । ଆଗାମୀ ୩ ରୁ ୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ ମୌସୁମୀ ।

ଏବେ କମିଛି ଗୁଳୁଗୁଳି । ଉତ୍ତର ଉପକୂଳ ଓଡ଼ିଶାରେ ସର୍ବାଧିକ ୩୦ ଡିଗ୍ରୀ ଭଳି ତାପମାତ୍ରା ରେକର୍ଡ ହେଉଛି । ସେହିଭଳି ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରାୟ ୨୮ ରୁ ୩୦ ଡିଗ୍ରୀ ତାପମାତ୍ରା ଦେଖିବାକୁ ମିଳୁଛି । କିନ୍ତୁ ଆଗକୁ ୨ ରୁ ୩ ଡିଗ୍ରୀ ଭଳି ବଢିପାରେ ତାପମାତ୍ରା ।