କନକ ବ୍ୟୁରୋ : ରାଜ୍ୟରେ କିଛି ଦିନ ହେବ ବର୍ଷାର ଦେଖାନଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି ବର୍ଷା । ଆଜି ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ତେବେ ଆଜିଠାରୁ ବର୍ଷାର ପରିମାଣ ବଢିବାକୁ ଥିବା ବେଳେ ଆସନ୍ତାକାଲି ଠାରୁ ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଲଘୁଚାପ ବର୍ଷା ପ୍ରଭାବରେ ଆଜିଠାରୁ ୧୦ ଅଗଷ୍ଟ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଖାସକରି ୮ ଓ ୯ ତାରିଖରେ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ତଲୁଆ ଅଞ୍ଚଳରେ ପାଣି ଜମିବ ସହ କଚ୍ଚା ରାସ୍ତା ଏବଂ କଚ୍ଚା ଘର ପ୍ରଭାବିତ ହେବା ସମ୍ଭାବନା ରହିଛି । ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ଅସୁରକ୍ଷିତ ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ଥିବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।
ସେହିଭଳି ପ୍ରବଳ ବର୍ଷା ପାଇଁ ଚାଷୀ ମାନଙ୍କ ପାଇଁ ମଧ୍ୟ ଆଡଭାଇଜରି ଜାରି କରାଯାଇଛି । ଚାଷୀ ମାନଙ୍କୁ ସାମୟିକ ଭାବେ ଜମିରେ ୧୦ ତାରିଖ ଯାଏଁ କୀଟନାଶକ , ସାର ସିଞ୍ଚନ ପାଇଁ ବାରଣ କରାଯାଇଛି ।