ବାତ୍ୟା ଟଳିଗଲା ହେଲେ ନିଦ ହଜାଇ ଦେଲା ବର୍ଷା ! ‘ଡାଏ’ ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା

29

କନକ ବ୍ୟୁରୋ : ବାତ୍ୟା ଟଳିଲା ହେଲେ ବର୍ଷା ଆଣିଲା ବିଭୀଷିକା । ବର୍ଷା ପାଣିରେ ଉବୁଟୁବୁ ମାଲକାନଗିରି । ଜିଲ୍ଲାର ୩୩ଟି ବ୍ଳକରେ ଶହେ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଗାଁ ଗଣ୍ଡାରେ ପାଣି ପଶିଛି, ବ୍ରିଜ୍ ଉପରେ ୬ ଫୁଟର ପାଣି ଚାଲିଛି । ସେପଟେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ବାତ୍ୟା-ଡାଏ, ଛତିଶଗଡ ମୁହାଁ ହୋଇଥିଲେ ବି ଏହାର ପ୍ରଭାବରେ ଆଜି ରାଜ୍ୟରେ ବର୍ଷା ଲାଗିରହିବ ।

ଉବୁଟୁବୁ ମାଲକାନଗିରି । ଲଗାଣ ବର୍ଷା ହାଲ୍ ବେହାଲ କରିଦେଇଛି ପୁରା ଜିଲ୍ଲାକୁ । ବାତ୍ୟା ଟଳିଯାଇଛି ହେଲେ ନିଦ ହଜାଇଦେଇଛି ବର୍ଷା । ଜଳମଗ୍ନ ହୋଇଛି ପୋଟେରୁ । ଗାଁରେ ୧୦ ଫୁଟର ବନ୍ୟା ପାଣିର ସୁଅ । ବୁଡି ରହିଛି କୋରୁକୁଣ୍ଡା-ପର୍ଲାକୋଟା ପୋଲ । ଫଳରେ ମାଲକାନଗିରି- ବାଲିମେଳା ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ମୋଟେରୁ ଡାଙ୍ଗରୁକୋଣ୍ଡାଠାରେ ପୋଲ ଉପରେ ପ୍ରାୟ ୧୦ ଫୁଟ ପାଣି ପ୍ରବାହିତ ହେଉଛି । ମୋଟେରୁ ଗାଁର ପ୍ରାୟ ୪୦ଟି ଘର ଜଳବନ୍ଦୀ ହୋଇ ରହିଛନ୍ତି । ଏମଭି ୧୧ ଓ ଏମଭି ୩ ଗାଁର ସ୍ଥିତି ବେହାଲ । ଝଡବାତ୍ୟାରେ ଘର ଉପରେ ମାଡି ବସିଛି ବଡ ବଡ ଗଛ ।

ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜଳକାରେ ବଢୁଛି ଜଳସ୍ତର । ବସ୍ତା ବ୍ଳକରେ ବନ୍ୟା ଆଶଙ୍କା ଦେଖାଦେଇଛି । ସୋନନଦୀ ପାଣିରେ ବୁଡିରହିଛି ନୀଳଗିରିର ୧୪ଟି ଗାଁ । ରାସ୍ତା ଉପରେ ପାଣି ଚାଲୁଥିବାରୁ ଜନବସତି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ମୟୂରଭଞ୍ଜ ଉଦଳାରେ ଦେଓ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଉଦଳା-ଜୟପୁର-ବାଲେଶ୍ୱର ରାସ୍ତାରେ ତିନିସୁଳିଆ ଛକରେ ୬ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ଲଗାଣ ବର୍ଷାରେ ଫୁଲୁଛି ଜଳକା ଓ ସାଳନ୍ଦୀ ନଦୀ । ଏପଟେ ଆଖୁଆପଦାରେ ବିପଦ ସଂକେତ ନିକଟରେ ପ୍ରବାହିତ ହେଉଛି ବୈତରଣୀ ।

ଓଡିଶା ଉପକୂଳ ଛୁଇଁବା ପରେ ବାତ୍ୟା-ଡାଏ, ଦିଗ ବଦଳାଇଛି । ଏହା ଏବେ ପଶ୍ଚିମ, ଉତର-ପଶ୍ଚିମ ଓଡିଶା ଦେଇ ଛତିଶଗଡ ମୁହାଁ ହୋଇଛି । ତେବେ ଏହାର ପ୍ରଭାବରେ ବର୍ଷା ଲାଗି ରହିବ । ଗଜପତି, ଗଞ୍ଜାମ, ପୁରୀ, ରାୟଗଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ମାଲକାନଗିରିର କୋରୁକୁଣ୍ଡା ବ୍ଳକ୍ରେ ସର୍ବାଧିକ ୪୦୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବର୍ଷା ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ପ୍ରଭାବିତଙ୍କ ପାଇଁ ୭ ଦିନିଆ ରିଲିଫ ଘୋଷଣା କରିଛନ୍ତି ।