ଲଗାଣ ବର୍ଷାରେ ବେହାଲ ରାଜଧାନୀ: ଦିଲ୍ଲୀ ବିମାନବନ୍ଦର ପାଲଟିଗଲା କୃତ୍ରିମ ପୋଖରୀ 

129

କନକ ବ୍ୟୁରୋ: ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ଶୁକ୍ରବାର ରାତିରୁ ଲାଗି ରହିଥିବା ବର୍ଷାରେ ଦିଲ୍ଲୀରେ ନାହିଁ ନଥିବା ସମସ୍ୟା ଦେଖିବାକୁ ମିଳିଛି । ରାସ୍ତା, ଘାଟ ସବୁଠି କୁତ୍ରିମ ବନ୍ୟା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ବିମାନବନ୍ଦର ଭିତରେ ବି ବର୍ଷା ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି ।

ପୋଖରୀର ଭ୍ରମ ସୃଷ୍ଟି କରୁଛି ଦିଲ୍ଲୀ ବିମାନବନ୍ଦର । ରାଜଧାନୀ ଦିଲ୍ଲୀ ଓ ଏନସିଆର ଅଂଚଳରେ ଆଜି ସକାଳୁ ପ୍ରବଳ ବର୍ଷା ଫଳରେ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଫଳରେ ଦିଲ୍ଲୀର ଇନ୍ଦେରା ଗାନ୍ଧୀ ବିମାନବନ୍ଦର ପରିସରରେ ପାଣି । ବର୍ଷା ପାଇଁ ୪ଟି ଘରୋଇ ବିମାନ ସହ ଗୋଟିଏ ଅନ୍ତର୍ଜାତୀୟ ବିମାନର ରୁଟ ବଦଳା ଯାଇଛି । ଯାତ୍ରୀଙ୍କୁ ସେମାନଙ୍କ ଫ୍ଲାଇଟ ଉଡ଼ାଣର ଷ୍ଟାଟସ ଚେକ କରିବାକୁ କୁହାଯାଇଛି । ଲଗାଣ ବର୍ଷା ଏବଂ ଖରା ପାଗ ଯୋଗୁଁ ବିମାନ ଉଡ଼ାଣରେ ବାଧା ସୃ୍ଷ୍ଟି ହୋଇଛି । ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ ଫ୍ରିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ରାସ୍ତା ଉପରେ ୪ରୁ ୫ ଫୁଟ ପାଣି । ଶୁକ୍ରବାର ରାତିରୁ ଦିଲ୍ଲୀରେ ରେକର୍ଡ ବର୍ଷା ହୋଇଛି । ଫଳରେ ଅଧିକାଂଶ ଅଂଚଳ ଜଳାର୍ଣ୍ଣବ ହୋଇଛି । ରାସ୍ତା, ଘାଟରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ଜଖିରା ଅଣ୍ଡରପାସ୍ରେ ୧୦ ଫୁଟ୍ ଯାଏଁ ପାଣି ଭର୍ତି ହୋଇ ଯାଇଛି । ଦିଲ୍ଲୀ ନଏଡା, ଗ୍ରେଟର ନଏଡା ସମେତ ଏନ୍ସିଆରରେ ସ୍ଥିତି ବେହାଲ ହୋଇ ପଡିଛି । ତେବେ ଏହି ସବୁ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଂଟାରେ ୯୭ ମିଲିମିଟର ବର୍ଷା ହୋଇଛି । ବର୍ଷା ଯୋଗୁଁ ଦିଲ୍ଲୀରେ ତାପମାତ୍ରା ୩,୪ ଡିଗ୍ରୀ ଖସିଥିବା ସୂଚନା ମିଳିଛି ।

ଆସନ୍ତା ୨ ଦିନ ଯାଏଁ ଦିଲ୍ଲୀ ଏବଂ ଏନସିଆରରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରୁଛି । ରାଜଧାନୀ ଦିଲ୍ଲୀ  ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଦିଲ୍ଲୀରେ ଚଳିତ ଥରର ବର୍ଷା ୪୬ ବର୍ଷର ରେକର୍ଡ ଭାଙ୍ଗିଛି । ୧୯୭୫ ପରେ ପ୍ରଥମ ଥର ପାଇଁ ମୌସୁମୀ ବର୍ଷା ହାଜାରେ ମିଲିମିଟର ଅତିକ୍ରମ କରିଛି ।