ଦିଲ୍ଲୀରେ ପ୍ରବଳ ବର୍ଷା : ରାସ୍ତା ଠାରୁ ରନୱେ ସବୁ ବୁଡିଲା ।

151

କନକ ବ୍ୟୁରୋ : ବର୍ଷା ପାଣିରେ ଉବୁଟୁବୁ ଦେଶର ରାଜଧାନୀ ଦିଲ୍ଲୀ । ରାସ୍ତାରୁ ରନୱେ ସବୁଠି ପାଣି ଆଉ ପାଣି । ରାସ୍ତାରେ ଏତେ ପାଣି ଯେ ଗାଡି ବାହାର କରିବା ମୁସ୍କିଲ , ବିମାନବନ୍ଦରର ଚିତ୍ର ମଧ୍ୟ କିଛି ସେହିଭଳି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦରର ଟର୍ମିନାଲ-୩ରେ ବର୍ଷା ପାଣି ଲହଡି ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ରନୱେ ଉପରେ ପାଣି ଜମି ରହିଛି । ଆଉ ଜମି ରହିଥିବା ପାଣି ବିମାନବନ୍ଦର ଭିତରେ ନଦୀର ଭ୍ରମ ସୃଷ୍ଟି କରୁଛି । ଯାହା ଦର୍ଶାଉଛି ଦିଲ୍ଲୀରେ ବର୍ଷା କେଉଁଭଳି ହୋଇଛି । ଗତରାତିରେ ଦିଲ୍ଲୀରେ ଯେଉଁ ଅବିଶ୍ରାନ୍ତ ବର୍ଷା ହୋଇଛି ତାହାର ପ୍ରଭାବରେ ଆଜି ଦିଲ୍ଲୀ ଏକଦମ ଠପ୍ ହୋଇ ଯାଇଛି । ଯାତାୟତରେ ଏକପ୍ରକାର ବ୍ରେକ ଲାଗିଛି, ଦୋକାନ-ବଜାର ଖୋଲିବା ସମ୍ଭବପର ହେଉନାହିଁ । କାରଣ କେଉଁଠି ଦୋକାନରେ ପାଣି ପଶିଛି ତ ପୁଣି କେଉଁଠି ରାସ୍ତାରେ ଗାଡି ଚଲାଇବା ସମ୍ଭବପର ହେଉନାହିଁ । ଯେଉଁଠି ବସ୍ ଚକ ପର୍ଯ୍ୟନ୍ତ ବୁଡୁଛି ସେଠି ରାସ୍ତାକୁ ଦୁଇ ଚକିଆ ଓ ଚାରି ଚକିଆ ଗାଡି ବାହାର କରିବ ବା କିଏ?

ଗତ ରାତିରୁ ହେଉଥିବା ଲଗାଣ ବର୍ଷାରେ ଦିଲ୍ଲୀ ଏକପ୍ରକାର ଜଳମୟ ହୋଇପଡିଛି । ଡ୍ରେନରେ ପାଣି ଶୀଘ୍ର ପାସ୍ କରୁନଥିବାରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଆଉ ଏସବୁ ଭିତରେ ପାଣିପାଗ ବିଭାଗ ଦିଲ୍ଲୀର କିଛି ସ୍ଥାନରେ ଆହୁରି ବର୍ଷା ହେବାର ଅନୁମାନ କରିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଯାହା ଦିଲ୍ଲୀକୁ ଆହୁରି ଅସ୍ତବ୍ୟସ୍ତ କରିବ । ଲଗାଣ ବର୍ଷା ଫଳରେ ଦିଲ୍ଲୀର ତାପମାତ୍ରା ମଧ୍ୟ ୩ରୁ ୪ ଡିଗ୍ରୀକୁ ଖସି ଆସିଛି । କିଛି ସ୍ଥାନରେ ରାସ୍ତା ବୁଡି ଯାଇଥିବାରୁ ଟ୍ରାଫିକ ଅଧିକାରୀଙ୍କ ପକ୍ଷରୁ ଉକ୍ତ ରାସ୍ତାରେ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ସେହିଭଳି ଦିଲ୍ଲୀରେ ହେଉଥିବା ଲଗାଣ ବର୍ଷା ରେକର୍ଡ କରିଛି । ସଫଦରଗଞ୍ଜରେ ୧୧୦୦ ମିମିର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଯାହା ଗତ ୪୬ ବର୍ଷ ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି ।