କନକ ବ୍ୟୁରୋ : ଲଗାଣ ବର୍ଷା ରାଜଧାନୀ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ତାଣ୍ଡବ ରଚିଛି। ଅନ୍ୟପକ୍ଷରେ ପ୍ରବଳ ଲଗାଣ ବର୍ଷା ଜନିତ ବିତ୍ପାତ ଦିଲ୍ଲୀବାସୀଙ୍କ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ସଂପ୍ରତି କରୋନାକୁ ନେଇ ଦିଲ୍ଲୀବାସୀ ଧନ୍ଦି ହେଉଥିବା ବେଳେ ସେମାନଙ୍କ ଉପରେ ଦାଉ ସାଜିଛି ଲଗାଣ ବର୍ଷା।

Advertisment

ପ୍ରବଳ ବର୍ଷା ଫଳରେ ଗୁରୁଗାଓଁରେ ଏକ ଚାରି ମହଲା ବିଶିଷ୍ଟ କୋଠାଘର ଧସି ପଡ଼ିଛି। ବର୍ଷା କାରଣରୁ ସୃଷ୍ଟି ହୋଇଥିବା ପ୍ରବଳ ବନ୍ୟା ପରିସ୍ଥିତି ଯୋଗୁ ଚାରି ମହଲା ବିଶିଷ୍ଟ କୋଠାଘରଟି ଧସି ପଡ଼ିଥିଲା।

ଗୁରୁଗାଓଁର ସେକ୍ଟର ୪୬ରେ ଥିବା ଏହି କୋଠାଘରଟି ଧସି ପଡ଼ିବା ପରେ ପ୍ରଶାସନ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଚାରି ମହଲା ଘରେ ରହୁଥିବା ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ପୁଲିସର ସୂଚନାନୁସାରେ ଗତକାଲି ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ବିଲଡିଂଟି ଧସି ପଡ଼ିଥିଲା।

ଅନ୍ୟପକ୍ଷରେ ପ୍ରବଳ ଲଗାଣ ବର୍ଷା କାରଣରୁ ଗୁରୁଗାଓଁର ବ୍ୟସ୍ତବହୁଳ ଇଫକୋ ଛକ ନିକଟରେ ଥିବା ଏକ ପ୍ରମୁଖ ରାସ୍ତା ମଧ୍ୟ ଦବି ଯାଇ ମାଟିଭିତରକୁ ପଣି ଯାଇଥିଲା। ତେବେ, ଏଥିରେ କେହି ଆହତ ହୋଇନାହାଁନ୍ତି। ରାସ୍ତାକୁ ବନ୍ଦ କରି ଦିଆଯାଇଛି।

ରାସ୍ତାରେ ବନ୍ୟା ପରିସ୍ଥିତି ଯୋଗୁଁ ବ୍ୟାପକ ଟ୍ରାଫିକ୍‌ ଜାମ୍‌ ଦେଖିବାକୁ ମିଳିଛି। ଉପର ମାର୍କେଟ ଗଲ୍‌ଫ କୋର୍ସ ରୋଡରେ ଥିବା ଅଣ୍ଡରପାସ୍‌ ନିକଟରେ ଯାନବାହନ ଚଳାଚଳ କରିଥିବା ବେଳେ କେତେକ ଅଞ୍ଚଳରେ ଅଣ୍ଟା ଉଚ୍ଚତାରେ ଜଳପ୍ରବାହ ଚାଲିଥିଲା। ଜାତୀୟ ରାଜଧାନୀ ଏବଂ ଏହାର ଆଖପାଖ ଗୁରୁଗାଓଁ, ଫରିଦାବାଦ, ଗାଜିଆବାଦ, ନୋଏଡା ଏବଂ ଗ୍ରେଟର ନୋଏଡା ମଙ୍ଗଳବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି। ପାଣିପାଗ ବିଭାଗ ଅନୁଯାୟୀ, ଅଗଷ୍ଟ ୨୩ ପର୍ୟ୍ୟନ୍ତ ରାଜଧାନୀରେ ଏହି ଲଗାଣ ବର୍ଷା ଜାରି ରହିବ।