ଦିଲ୍ଲୀ, ଏନସିଆରରେ ଗତ ୩ଦିନ ହେଲା ଲାଗିରହିଛି ବର୍ଷା: ଆଜି ଅପରାହ୍ନରେ ମେଘମୁକ୍ତ ହୋଇପାରେ ଆକାଶ, ତଥାପି ବଢିବ ଶୀତ

ପ୍ରତିକୂଳ ପାଗରେ ବି ଚାଷୀଙ୍କ ଆନ୍ଦୋଳନ ଜାରି

75

କନକ ବ୍ୟୁରୋ: ଗତ ୩ ଦିନ ହେଲା ବର୍ଷା କାରଣରୁ ଦିଲ୍ଲୀ, ଏନସିଆରରେ ଅବସ୍ଥା ଅସମ୍ଭାଳ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଅପରାହ୍ନ ସୁଦ୍ଧା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆକାଶ ମେଘମୁକ୍ତ ହୋଇପାରେ । କିନ୍ତୁ ଥଣ୍ଡାରୁ ମୁକ୍ତି ମିଳିବ ନାହିଁ । ଜାମ୍ମୁ-କାଶ୍ମୀରରେ ପ୍ରବଳ ତୁଷାରପାତର ପ୍ରଭାବ ଦିଲ୍ଲୀରେ ଅନୁଭୂତ ହେଉଛି । ଦିଲ୍ଲୀ, ଏନସିଆରରେ ୪୮ ଘଂଟା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ ।

ସେହିପରି ୭ ତାରିଖରୁ ଦ୍ୱିତୀୟ କୋଲ୍ଡ ୱେଭ ବା ଶୀତ ଲହରୀ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ଗତ ୩ ଦିନ ହେଲା ରାଜଧାନୀ ଦିଲ୍ଲୀରେ ରାତିର ତାପମାତ୍ରା ୧୧ରୁ ୧୨ ଡିଗ୍ରୀ ସେଲସିଅସକୁ ଖସିଆସୁଛି । ଶନିବାରଠାରୁ ଦିଲ୍ଲୀ ଓ ଏନସିଆରରେ ରହି ରହି ବର୍ଷା ହେଉଛି । ସାକଳେ କୁହୁଡି ସାଙ୍ଗକୁ ଦିନରେ ବର୍ଷା ଓ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । କେବଳ ଦିଲ୍ଲୀ ଏନସିଆର କାହିଁକି ପୁରା ଉତର ଭାରତରେ ପାଣିପାଗ ଏହିଭଳି ରହିଥିବା ଦେଖିବାକୁ ମିଳୁଛି ।

ସେପଟେ ତିନି ଦିନର ଅଦିନିଆ ବର୍ଷା, ପ୍ରବଳ ଥଣ୍ଡା ଓ କୁହୁଡି ଭିତରେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ଏମଏସପି ଉପରେ ନ୍ୟାୟିକ ଗ୍ୟାରେଂଟି ଦାବି କରୁଛନ୍ତି ଚାଷୀ ସଂଗଠନ । ସୋମବାର ସରକାରଙ୍କ ସହ ସପ୍ତମ ଆଲୋଚନା ମଧ୍ୟ ନିର୍ଯାସ ଶୂନ୍ୟ ରହିଥିଲା । ଏହାରି ଭିତରେ କିନ୍ତୁ ପ୍ରତିକୂଳ ପରିବେଷରେ ମଧ୍ୟ ବିଭିନ୍ନ ରାଜ୍ୟରୁ ଆସି ଦିଲ୍ଲୀ ସୀମାରେ ବସିରହିିଥିବା ଚାଷୀ, ୪୦ରୁ ଅଧିକ ଦିନ ଧରି ଜାରି ରଖିଛନ୍ତି । ଗଲା ୩ ଦିନ ହେଲା ଦିଲ୍ଲୀରେ ବର୍ଷା ଲାଗିରହିଥିବାରୁ ଚାଷୀଙ୍କ ସମସ୍ୟା କିନ୍ତୁ ଆହୁରି ବଢିଯାଇଛି ।

ଆନ୍ଦୋଳନ ସ୍ଥଳରେ ପାଣି ପଶିଯାଉଛି । ଦିଲ୍ଲୀ ଗୁରୁଦ୍ୱାରା ପ୍ରବନ୍ଧନ ସମିତି କେତେକ ଅସ୍ଥାୟୀ ଟେଂଟ ଓ ପାଲ ଯୋଗାଇ ଦେଇଛି । ତଥାପି ପଞ୍ଜାବ, ହରିଆଣା ଓ ପଶ୍ଚିମ ଉତର ପ୍ରଦେଶରୁ ଆସିଥିବା ଏହି କୃଷକମାନେ ରାତିରେ ଶୋଇବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆନ୍ଦୋଳନ ଚଳାଇ ରଖିବାକୁ ଧମକ ଦେଇଛନ୍ତି । ଏହାରି ଭିତରେ ଆଗାମୀ ୮ ତାରିଖରେ ପୁଣି ସରକାର ଓ କୃଷକ ସଂଗଠନ ଭିତରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହୋଇପାରେ । ସେପଟେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ପାଇଁ ଆସନ୍ତାକାଲି ରିହର୍ସାଲ କରିବାକୁ ପ୍ରସ୍ତୁତି କରୁଛନ୍ତି ମହିଳା ଚାଷୀ ।