ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ: ଘରେ ପଶିଲା ପାଣି, ରାସ୍ତା ଉପରେ ବୁଡିଲା ଗାଡି

241

କନକ ବ୍ୟୁରୋ: ଲଘୁଚାପ ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱର ମଧ୍ୟ ବର୍ଷାରେ ବେହାଲ ହୋଇଛି । ପ୍ରାୟ ୩ରୁ ୪ ଘଣ୍ଟା ଧରି ଲଗାତାର ବର୍ଷା ଲାଗି ରହିଥିଲା । ଆଉ ବର୍ଷା ଫଳରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ଜଳମଗ୍ନ ହୋଇଥିଲା । କେଉଁଠି କାହା ଘରେ ପାଣି ପଶିଲାଣି ତ କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣିର ସୁଅ ଦେଖିବାକୁ ମିଳିଥିଲା ।

ଏଭଳି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିଲା । ବିଭିନ୍ନ ସ୍ଥାନରେ ପାଣି ଯୋଗୁଁ ଗାଡିମୋଟର ଫଶି ରହିଥିଲା । ପରେ ବର୍ଷା କମିଲା ପରେ ଏସବୁ ସ୍ଥାନରୁ ଜଳ ନିଷ୍କାସନ କରାଯାଇଥିଲା ।

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ଶନିବାର ସକାଳେ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି । ଏହି ଲଘୁଚାପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଧୀରେଧୀରେ ଅଧିକ ଘନୀଭୂତ ହୋଇ ଅବପା‌ତରେ ପରିଣତ ହେବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ତଥା ପଶ୍ଚିମବଙ୍ଗ ଉପକୂଳ ଉପରେ ଏହା ଅବପାତର ରୂପ ନେବ । ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ପୁରୀ, ‌ଖୋର୍ଧା‌, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା‌, ଢ଼େଙ୍କାନାଳ ଓ ନୟାଗଡ଼ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୬ଟି ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ , କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଯାଜପୁର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଦିଆଯାଇଛି । ତେବେ ୮ଟି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ମୟୁରଭଞ୍ଜ ଏବଂ ବାଲେଶ୍ୱରକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।