ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ସମ୍ଭାବନା : ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କଲା ପାଣିପାଗ ବିଭାଗ

489

କନକ ବ୍ୟୁରୋ : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ରାଜ୍ୟର ୭ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଉକ୍ତ ଜିଲ୍ଲାଗୁଡ଼ିକ ହେଲା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲା । ଏହାଛଡ଼ା ୨୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବିଜୁଳି, ଘଡ଼ଘଡ଼ି ଜନିତ ବର୍ଷା ଓଡ଼ିଶାରେ ଜାରି ରହିବ । ୭ ଓ ୮ ତାରିଖରେ ରାଜ୍ୟର କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦୯.୩ମିମି ବର୍ଷା ହୋଇଯାଇଛି। ଏହା ସ୍ବାଭାବିକ ବର୍ଷା ୨୫୬.୧ ମିମିଠାରୁ ୧୮% କମ୍‌ । ୧ ଜୁନ୍‌ରୁ ୪ ଜୁଲାଇ ମଧ୍ୟରେ ରାଜ୍ୟର ୧୪ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଅର୍ଥାତ୍‌ ୨୦ରୁ ୫୯% ଯାଏ କମ୍‌ ବର୍ଷା ଏହିସବୁ ଜିଲ୍ଲାରେ ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା, ରାୟଗଡ଼ା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଦେବଗଡ଼, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝର । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୫୭% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ଏଥିସହ ଗଜପତି ଜିଲ୍ଲାରେ ୫୩%, ଯାଜପୁରରେ ୪୬% ଓ କେନ୍ଦୁଝର ଜିଲ୍ଲାରେ ୪୫% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ସର୍ବାଧିକ ବର୍ଷା କୋରାପୁଟ ଜିଲ୍ଲାରେ ୩୦୦.୫ମିମି ରେକର୍ଡ ହୋଇଛି । ଏହା ସ୍ବାଭାବିକ ବର୍ଷାଠାରୁ ୨୧% ଅଧିକ । ଅବଶିଷ୍ଟ ୧୫ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । କେବଳ ରାଜଧାନୀ ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ୩୫୪ମିମି ବର୍ଷା ରେକର୍ଡ ହେଲାଣି ।