ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ୨୨ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ଉତର ଓ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଅନୁମାନ । ୫ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି । ସମ୍ଭାବ୍ୟ ବନ୍ୟା ନେଇ ଜଳସମ୍ପଦ ବିଭାଗ ସଜାଗ ।

483

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ମାଲକାନଗିରି , ରାୟଗଡା, ମୟୂରଭଞ୍ଜ ଓ ଢ଼େଙ୍କାନାଳରେ ମଧ୍ୟ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ବର୍ଷାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି ।

ଲଘୁଚାପ ବର୍ଷାକୁ ନଜରରେ ରଖି ବଂଶଧାରା, ନାଗାବଳୀ ଓ ଋଷିକୁଲ୍ୟା ନଦୀର ଜଳଭଣ୍ଡାରରେ ଏବେ ଜଳସ୍ତର ୮୦ ପ୍ରତିଶତରୁ କମ୍ କରାଯାଇ ୬୫ରୁ ୭୦ ପ୍ରତିଶତ କରାଯାଇଛି । ୮ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ସମସ୍ତ ପ୍ରକାର ସରଂଜାମ ଯଥା ବାଲିବସ୍ତା ଏବଂ ବାଉଁଶ ରଖାଯାଇଛି । ଲଘୁଚାପ ବର୍ଷା ଆସୁଥିବା ବେଳେ ସ୍ଥିତି ଉପରେ ନଜର ରଖିଛି ଜନସଂପଦ ବିଭାଗ । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ଗତ ୧୩ ତାରିଖରେ ହୋଇଥିବା ଲଘୁଚାପରେ ମଧ୍ୟ ଦକ୍ଷିଣ ଓଡିଶା ପ୍ରଭାବିତ ହୋଇଥିଲା । ଏଥିରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ଏବେ ପୁଣି ଆଉ ଏକ ଲଘୁଚାପ ଆସୁଛି ଯାହା ପାଇଁ ସଜାଗ ରହିଛନ୍ତି ଜିଲ୍ଲାପାଳ ।