ଶୀତୁଆ ପାଗକୁ ବର୍ଷା ମାଡ଼ । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ୩ଟି ଜିଲ୍ଲାରେ ପ୍ରବଳ ବର୍ଷିବ !

5,302

କନକ ବ୍ୟୁରୋ : ସମଗ୍ର ରାଜ୍ୟରେ ଶୀତଲହରୀ ଜାରି ରହିଥିବା ବେଳେ ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ଆଜି ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସ୍ୱତନ୍ତ୍ର ବୁଲେଟିନ୍‌ ଆଧାରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଜାରି ଏକ ଇସ୍ତାହାରରୁ ଏହା ଜଣାପଡିଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ସ୍ୱତନ୍ତ୍ର ବୁଲେଟିନ୍‌ରୁ ଜାଣିବାକୁ ମିଳିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଗୁରୁବାର ସକାଳ ୮ଟା ସୁଦ୍ଧା ରାଜ୍ୟର ପଶ୍ଚିମ ଓ ଆଭ୍ୟନ୍ତର ଉତ୍ତର ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ଦେବଗଡ଼, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍ଗାନାଳ ଓ ବଲାଙ୍ଗୀର ଜିଲ୍ଲାର ବହୁ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଶୁକ୍ରବାର ସକାଳ ୮ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ବ୍ୟାପକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦେବଗଡ଼, ସୋନପୁର, ଢ଼େଙ୍କାନାଳ, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ସ୍ୱତନ୍ତ୍ର ବୁଲେଟିନ୍‌ରେ କୁହାଯାଇଛି ।

ଗତକାଲି ରାଜ୍ୟର ୧୨ଟି ଜିଲ୍ଲାର ପାରଦ ୧୦ ଡିଗ୍ରୀ ତଳକୁ ଖସିଯାଇଥିଲା । ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ସେଲସିୟସ୍‌ ମାଲକାନଗିରି ଠାରେ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରି ସେଲସିୟସ୍‌ କେନ୍ଦୁଝର ଠାରେ ରେକର୍ଡ କରାଯାଇଛି ।