କନକ ବ୍ୟୁରୋ : ପଶ୍ଚିମ କେନ୍ଦ୍ରୀୟ ଓ ଉତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ସୁଦୃଶ ଲଘୁଚାପ । ୫ ଦିନ ଧରି ଲାଗି ରହିବ ବର୍ଷା । ଆଜି ମଧ୍ୟାହ୍ନ ସୁଦ୍ଧା ମାଲକାନଗିରି ଓ କୋରାପୁଟରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆଜି ମାଲକାନଗିରି ଓ କୋରାପୁଟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

Advertisment

ଏହା ବ୍ୟତୀତ ନୂଆପଡା, ଗଜପତି, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ପଶ୍ଚିମ କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସକ୍ରିୟ ସୁଦୃଶଃ ଲଘୁଚାପ କ୍ଷେତ୍ରରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୧.୫ କିମି ଉଚ୍ଚତା ଯାଏଁ ବ୍ୟାପିଛି ।

ଜୁନ୍‌ ପହିଲାରୁ ଆଜି ସୁଦ୍ଧା ଓଡ଼ିଶାରେ ସ୍ବାଭାବିକ ଭାବେ ୪୮୯ ମିମି ବର୍ଷା ହେବା କଥା । ଯେତେବେଳେ କି ଚଳିତବର୍ଷ ୪୨୫.୮ ମିମି ବର୍ଷା ରେକର୍ଡ କରାଯାଇଛି । ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଥିବା ବେ‌ଳେ ଦୁଇଟି ଜିଲ୍ଲାରେ ଅଧିକ ନିଅଣ୍ଟିଆ ରହିଛି । ୧୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।