ଲଗାଣ ବର୍ଷାରେ ସାଲେପୁରରେ ବନ୍ୟା ପରିସ୍ଥିତି: ପାଣି ଘେରରେ ଅନେକ ଅଂଚଳ; ଚାଷ ଜମିରେ ପାଣି ମାଡି ଯିବାରୁ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ

141

କନକ ବ୍ୟୁରୋ: ସାଲେପୁରରେ ଲଗାଣ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଖୋଦ୍ ଜିଲ୍ଲାପାଳ । ବନ୍ୟା ଅଂଚଳ ପରିଦର୍ଶନ କରିବାସହିତ କଟକ ଜିଲ୍ଲାର ମାହାଙ୍ଗା ବ୍ଲକର ଜିରା, ପାଇକରାପୁର ବିଭିନ୍ନ ବନ୍ୟାଂଚଳ ପରିଦର୍ଶନ କରି ବନ୍ୟା ବିପନ୍ନଙ୍କ ସହିତ କଥା ହୋଇଛନ୍ତି ଜିଲ୍ଲାପାଳ । ଏହି ଗସ୍ତ ଅବସରରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ସାମିଲ ହୋଇଥିଲେ । ଏବେ ବି ଅନେକ ଅଂଚଳ ପାଣି ଘେରରେ ରହିଛି । ଗାଁ ରାସ୍ତା ଉପରେ ପାଣି ଚାଲିଥିବାରୁ ସେ ସବୁ ଗାଁରେ ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଇଛି । ଚାଷ ଜମିରେ ପାଣି ମାଡି ଯିବାରୁ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ କ୍ଷୟକ୍ଷତି ନେଇ ପ୍ରଶାସନର କ୍ଷତିପୂରଣ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏପଟେ, ପୁଣି  ବେହାଲ କରିବ ବର୍ଷା ।  ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଆସନ୍ତାକାଲି ଉତର ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବ । ଲଘୁଚାପ ପ୍ରଭାବରେ  ଆଜିଠୁ ୨୭ ତାରିଖ ଯାଏ ରାଜ୍ୟର ବର୍ଷା ହେବ । ବର୍ଷା ନେଇ ବିଭିନ୍ନ ଜିଲ୍ଳାକୁ ୟେଲୋ ଓ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ୧୨ଟି ଜିଲ୍ଳାରେ ବର୍ଷା ହେବ । ୨୪ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,  ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ମୟୁରଭଂଜରେ ବର୍ଷା ପାଇଁ ଅରେଂଜ ୱାର୍ଣ୍ଣଂ ଜାରି କରାଯାଇଛି । ଦେବଗଡ଼, ସୁନ୍ଦରଗଡ, କଳାହାଣ୍ଡି ଓ କନ୍ଧମାଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।