କନକ ବ୍ୟୁରୋ: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆନ୍ଧ୍ରପ୍ରଦେଶ ଉପକୂଳ ପର୍ଯ୍ୟନ୍ତ ଲମ୍ବିଛି। ଆଜି ଏହା ଲଘୁଚାପର ରୂପ ନେବ। ଏହା ପ୍ରଭାବରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଓ ଗଜପତି ଭଳି ଦକ୍ଷିଣ ସୀମାନ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଣୁ ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଦୁର୍ବଳ ମୌସୁମୀ ପାଇଁ ରାଜ୍ୟର ବାକି ଅଞ୍ଚଳ ଶୁଖିଲା ଓ ଖରାଟିଆ ରହିବ। ଦିନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର୍ ବିଶ୍ବାସ ସୂଚନା ଦେଇଛନ୍ତି।
ଶ୍ରୀ ବିଶ୍ବାସଙ୍କ ସୂଚନାନୁଯାୟୀ, ୧୪ ତାରିଖ ଦିନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ବର୍ଷାର ସମ୍ଭାବନା ରହିଛି। ବାକି ସ୍ଥାନରେ ବର୍ଷା କମ୍ ରହିବ। କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ଏହିଦିନ ମଧ୍ୟ ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। କିନ୍ତୁ ୧୩ ତାରିଖଠାରୁ ବର୍ଷାର ପରିମାଣ କମ୍ ରହିବ। ୧୫ ଓ ୧୬ତାରିଖ ଆଡ଼କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।