ଲଘୁଚାପ ଲଗାଣ ବର୍ଷାରେ ଦିଗପହଣ୍ଡିରୁ ଆସିଲା ବର୍ଷା ବିଭୀଷିକାର ଚିତ୍ର: ପାହାଡ଼ ଉପରୁ ମାଡ଼ି ଆସିଲା ବର୍ଷା ପାଣି, ଧୋଇଗଲା ଘରଦ୍ୱାର; ପାତ୍ରପୁର ବ୍ଲକର ୩ଟି ପଂଚାୟତରେ ବ୍ୟାପକ କ୍ଷୟକ୍ଷତି

502

କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ଲୋକଙ୍କ ଭୟଭିତ କରୁଛି ଲଘୁଚାପ ଲଗାଣ ବର୍ଷା । ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଂଚଳରୁ ଆସିଛି ବର୍ଷା ବିଭୀଷିକାର ଭୟଙ୍କର ଚିତ୍ର । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରୁ ମାଡ଼ି ଆସିଥିଲା ବର୍ଷା ପାଣି । ଆଉ ପାହାଡ ପାଦଦେଶରେ ଥିବା ଘର ଦ୍ୱାରକୁ ଧୋଇ ନେଇଛି ବର୍ଷା ପାଣି । ପାତ୍ରପୁର ବ୍ଲକର ୩ଟି ଆଙ୍କୁଲି, ତୁମ୍ବା ଓ ବୁରାତାଲ ପଂଚାୟତରେ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଗତକାଲି ଠାରୁ ଏଠାରେ ବର୍ଷା ଲାଗି ରହିଛି । ବର୍ତମାନ ଯଦିଓ ବର୍ଷାର ପରମାଣ କମିଛି । କିନ୍ତୁ ପାହାଡ ଉପରେ ପାଣି ସ୍ରୋତ ଜାରି ରହିଛି । ଫଳରେ ପାହାଡି ଗାଁରେ ଥିବା ଲୋକଙ୍କ ଜୀବନ ଜୀବିକା ଠପ ହୋଇଯାଇଛି । ବର୍ଷାକୁ ନେଇ ସ୍ଥାନୀୟ ଆଦିବାସୀ ଭୟଭିତ ହୋଇଯାଇଛନ୍ତି । ଲୋକେ ଜୀବନ ବିକଳେ ଘରୁ ସୁରକ୍ଷିତ ସ୍ଥାନକୁ ପଳାଇ ଆସିଥିବା ବେଳେ ଘରେ କିଛି ଗୃହ ପାଳିତ ପଶୁପକ୍ଷି ରହିଯାଇଥିବା ସୂଚନା ମିଳିଛି । ତେବେ ଏହି ଅଂଚଳରେ ଏଯାଏଁ ବାତ୍ୟା ତିତିଲିର କ୍ଷତ ଲିଭି ନାହିଁ । ଏବେ ବି ଲୋକେ ଅଂଟା ସଳଖି ଠିଆ ହୋଇ ପାରିନାହାନ୍ତି ।