ମାଡି ଆସୁଛି ପ୍ରବଳ ବର୍ଷା ! ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଭୟଙ୍କର ଲଘୁଚାପ, ରେଡ ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ ।

105

କନକ ବ୍ୟୁରୋ : ମାଡିଆସୁଛି ପ୍ରବଳ ବର୍ଷା । ୩ ଦିନ ଧରି ସାରା ଓଡିଶାରେ ପ୍ରବଳ ବର୍ଷିବ । ପଶ୍ଟିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୪ ଘଂଟା ମଧ୍ୟରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆସନ୍ତା ୧୩ ଓ ୧୪ ତାରିଖ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବିଶେଷ କରି ୧୪ ତାରିଖରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି । ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହୋଇସାରିଛି ।

ଓଡିଶା ନିକଟରେ ରହିଥିବା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଭୟଙ୍କର ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏହି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଂଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଫଳରେ ଓଡିଶାରେ ଆସନ୍ତା ତିନି ଦିନ ଧରି ପ୍ରବଳ ବର୍ଷା ହେବା ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତା ୧୩ ଓ ୧୪ ତାରିଖ ପାଇଁ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ଯୋଗୁଁ ଆସନ୍ତା ୨୪ ଘଂଟା ମଧ୍ୟରେ ଦକ୍ଷିଣ ଓଡିଶାର ଅଧିକାଂଶ ସ୍ଥାନରେ ଏବଂ ଉତ୍ତର ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୋନପୁର, ଗଞ୍ଜାମ, ଗଜପତି, ପୁରୀ, ବରଗଡ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ଏକ ବିଦେଶୀ ପାଣିପାଗ କେନ୍ଦ୍ର ‘ନଲ୍ ସ୍କୁଲ’ ମଧ୍ୟ, ସୃଷ୍ଟି ହେବାକୁ ଯାଉଥିବା ଏହି ଲଘୁଚାପ ପୂର୍ବରୁ ପବନର ଦିଗ ଓ ଗତି ଅନୁମାନ କରିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଂଟା ମଧ୍ୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ସମ୍ବଲପୁର, ବୌଦ୍ଧ, ଜଗତସିଂହପୁର, କଟକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ୧୪ ତାରିଖ ବେଳକୁ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଂଜ, ନୟାଗଡ, ଅନଗୁଳ, ସୁନ୍ଦରଗଡ, ଝାରସୁଗୁଡା, ବୌଦ୍ଧ, ବରଗଡ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ଯାଏଁ ସାରା ଓଡିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୩ ଦିନ ସମୁଦ୍ର ଭିତରକୁ ଯିବାରୁ ବାରଣ କରାଯାଇଛି ।