ବର୍ଷାରେ ବେହାଲ ଉତରପୂର୍ବ ରାଜ୍ୟ । ପାହାଡ଼ିଆ ରାଜ୍ୟରେ ବାଦଲଫଟା ବର୍ଷା

101

କନକ ବ୍ୟୁରୋ : ଲଗାଣବର୍ଷା କେବଳ ଆସାମରେ ନୁହେଁ କ୍ରମଶ ଦେଶର ବିଭିନ୍ନ ରାଜ୍ୟ ପାଇଁ ସମସ୍ୟା ଆଣିଛି । ଆସାମ, ଅରୁଣାଚଳପ୍ରଦେଶ, ମେଘାଳୟ ପରି ପୂର୍ବୋତର ରାଜ୍ୟ ପରେ ଏବେ ଉତରପୂର୍ବ ରାଜ୍ୟରେ ବି କାଳ ସାଜିଛି ଲଗାଣ ବର୍ଷା । ଆସାମ, ହିମାଚଳପ୍ରଦେଶ, ଉତରାଖଣ୍ଡ, ବିହାର, ମୁମ୍ବାଇରେ ଲଗାଣବର୍ଷା ପରେ ବନ୍ୟା ଓ ଭୁସ୍କଳନର ସମସ୍ୟା ଦେଖାଦେଇଛି ।

ଲଗାଣବର୍ଷା ପରେ ସ୍ଥିତି ଏଠାକାର କିଛି ଏଭଳି ରହିଛି । ଘରଦ୍ୱାରା ବଜାରଘାଟ ସବୁଠି କେବଳ ବର୍ଷା ପାଣି ହିଁ । ବନ୍ୟାରେ ଭାସୁଛି ୩୦ ଜିଲ୍ଲାର ଶତାଧିକ ଗାଁ ।ଲୋକମାନଙ୍କ ନିକଟରେ ଉଦ୍ଧାରକାରୀ ଦଳ ସମୟରେ ପହଁଚି ପାରୁନଥିବା ଯୋଗୁଁ ବାଧ୍ୟ ହୋଇ ଗ୍ରାମବାସୀ ବିପଦ ସଙ୍କୁଳ ସ୍ଥିତିରେ ବନ୍ୟା ପାଣିରୁ ବାହାରି ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି । ସମସ୍ୟା ସମୟରେ ସ୍ଥାନୀୟ ପ୍ରଶାସନ ପହଁଚିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସେପଟେ ଲଗାଣବର୍ଷା ଯୋଗୁଁ ବେହାଲ ହୋଇପଡିଛି ମୁମ୍ବାଇ । ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହ ୪୮ ଘଂଟା ପାଇଁ ଆର୍ଲଟ ଜାରି କରାଯାଇଛି । ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କ ବାରଣ କରାଯାଇଛି । ଗତ ୨ଦିନ ହେବ ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ରାଜ୍ୟରେ ଜାରି ରହିଛି ବର୍ଷା । ସିନ୍ଧୁ ଦୁର୍ଗ, ରତ୍ନଗୀରୀରେ ଭୁସ୍କଳନ ହେବା ଯୋଗୁଁ ଯାତାୟତ ଠପ ହୋଇଛି । ସେପଟେ ବର୍ଷା ଯୋଗୁଁ ଦିଲ୍ଲୀରେ ବଡ ଧରଣର ଟ୍ରାଫିକ ଜାମ ଦେଖିବାକୁ ମିଳିଛି । ବର୍ଷା ଆରମ୍ଭରୁ ହିଁ ଉତରାଖଣ୍ଡ ଓ ହିମାଚଳରେ ଦୁର୍ଦଶା ଆଣିଛି ବାଦଲ ଫଟା ବର୍ଷା । ପାହାଡ ଉପରୁ ବର୍ଷା ପାଣିର ପ୍ରଖର ସ୍ରୋତରେ ତଳତଳିଆ ଗାଁ ବେଶ ପ୍ରଭାବିତ ହୋଇଛି । ଏକାଧିକ ଗାଁ ବନ୍ୟାରେ ଭାସିଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଘଟଣାରେ ୩ଜଣଙ୍କ ମୃତ୍ୟୁ ଓ ୧୫ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡିଛି ।

ସେପଟେ ପାହାଡିଆ ରାଜ୍ୟ ଉତରାଖଣ୍ଡରେ ସ୍ଥାନେ ସ୍ଥାନେ ବର୍ଷା ସାଙ୍ଗକୁ ଜାରି ରହିଛି ଭୁସ୍କଳନ । ଆଗାମୀ କିଛି ଦିନ ଧରି ସମାନ ସ୍ଥିତି ଜାରି ରହିବ ବୋଲି କହିଛି ଆଚଂଳିକ ପାଣିପାଗ ବିଭାଗ । ବର୍ଷା ରୁତୁରେ ଏଭଳି ସମସ୍ୟା ପ୍ରତିବର୍ଷ ସୃଷ୍ଟି ହେଉଛି ଓ ପ୍ରକୃତିର ପ୍ରକୋପରେ ଯାଉଛି ଅନେକ ଧନଜୀବନ ।