ପଶ୍ଚିମ ଓଡିଶା ମୁହାଁ ବର୍ଷା । ଆସନ୍ତା ୨୪ ଘଂଟା ଭିତରେ ଏହି ସବୁ ସ୍ଥାନରେ ପ୍ରବଳ ଅତି ପ୍ରବଳ ବର୍ଷା ଆଶଙ୍କା

42

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର ଓଡିଶା ଏବଂ ଆଖପାଖରେ ଘନୀଭୂତ ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇସାରିଛି । ତେବେ ୨୪ ଘଂଟାରେ ଏହା ଦୁର୍ବଳ ହୋଇ ୱେଲମାର୍କର ରୂପ ନେବ । ଏହା ପ୍ରଭାବରେ ବର୍ଷା ପଶ୍ଚିମଓଡିଶା ମୁହାଁ ହୋଇଛି । ନବରଙ୍ଗପୁର, କେନ୍ଦ୍ରାପଡା, ଝାରସୁଗୁଡା, ବରଗଡ, ସମ୍ବଲପୁର, ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ସକାଳ ସୁଦ୍ଧା ଚାନ୍ଦବାଲିରେ ୧୩୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୩୮ ମିଲିମିଟର, ପୁରୀରେ ୨୮ ମିଲିମିଟର ଓ ଭୁବନେଶ୍ୱରରେ ୭ ମିଲିମିଟର, ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଅନ୍ୟପକ୍ଷରେ ଦୁଇଦିନର ଲଗାଣ ବର୍ଷା ଯୋଗୁଁ ଭଦ୍ରକରେ ଜନଜୀବନ ବେହାଲ ହୋଇଛି । ଭଦ୍ରକ ସହରାଞ୍ଚଳ ନିକଟ ର୍ମିଜାପୁର ଓ ଗୁଜିଦରଡା ଅଞ୍ଚଳରେ ପାଣି ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଲୋକେ ଘରୁ ବାହାରି ପାରୁନାହାନ୍ତି। ସେପଟେ ଲଗାଣ ବର୍ଷା ଫଳରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ଅଧିକ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲୋକେ । ରାସ୍ତାଘାଟ ପାଣିରେ ବୁଡିଥିବାରୁ ଯାତାୟତରେ ସମସ୍ୟା ଦେଖାଦେଇଛି। ପାଣି ଘେରରେ ରହିଛି ସ୍କୁଲ ଓ ସରକାରୀ ଅଫିସ । କୁତ୍ରାର କେନ୍ଦ୍ରୀୟ ବିଦ୍ୟାଳୟରେ ପାଣି ପଶିଯିବା ଯୋଗୁଁ ସ୍କୁଲ କର୍ତୃପକ୍ଷ ଛୁଟି ଘୋଷଣା କରିଛନ୍ତି । ସେହିଭଳି କୁତ୍ରା ପଶୁ ଡାକ୍ତରଖାନା, ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସରେ ବି ପାଣି ପଶିଯାଇଛି । ଅନ୍ୟପକ୍ଷରେ ସୁନ୍ଦରଗଡ଼ରେ ବି ଅନେକ ସ୍ଥାନ ଜଳବନ୍ଦୀରେ ରହିବା ସହି ଘର ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି।