କନକ ବ୍ୟୁରୋ : କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତାକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ । ପରେ ଏହା ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ କାଲିଠୁ ବର୍ଷା ଲାଗି ରହିବ । ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟରେ ବିସ୍ତୃତ ବର୍ଷା ହେବ । ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Advertisment

ସୂଚନା ମୁତାବକ, ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିଭଳି ୧୯ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖ ଦିନ ରାଜ୍ୟରେ ବର୍ଷାର ପ୍ରଭାବ ଓ ବିସ୍ତୃତି ବଢ଼ିବ। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ଉପକୂଳ ସହ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୧ ତାରିଖ ଦିନ ବି ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ତେବେ ଜୁନ୍‌ ଓ ଜୁଲାଇ ୧୪ ତାରିଖ ଯାଏ ରାଜ୍ୟରେ ହୋଇଥିବା ନିଅଣ୍ଟିଆ ବର୍ଷାର ସ୍ଥିତି ଏହି ବର୍ଷା ଯୋଗୁଁ କିଛି ମାତ୍ରାରେ ଭରଣା ହୋଇପାରିଛି । ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହୋଇଥିବା ବର୍ଷା ଯୋଗୁଁ ୩% ନିଅଣ୍ଟ ବର୍ଷା ଭରଣା ହୋଇଛି । ଗତ ୪୮ ଘଣ୍ଟାରେ ରାଜ୍ୟରେ ହୋଇଥିବା ବର୍ଷା ରାଜ୍ୟର ୮% ନିଅଣ୍ଟ ସ୍ଥିତିକୁ ଭରଣା କରିପାରିଛି । ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ୩୦୭.୮ ମିମି ବର୍ଷା ରେକର୍ଡ ହୋଇଛି ।