ପୁଣି ବୁଡିଲା ଭୁବନେଶ୍ୱର ! ଶ୍ରୀଜିଉଙ୍କ ରଥ ହେଲା ଜଳବନ୍ଦୀ ।

35

କନକ ବ୍ୟୁରୋ : ଜଳବନ୍ଦି ଶ୍ରୀଜିଉଙ୍କ ରଥ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଇସ୍କନ ମନ୍ଦିର ସମ୍ମୁଖରେ । ଆଜି ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବା ଫଳରେ ଇସ୍କନ ସମ୍ମୁଖରେ କିଛି ଦିନ ତଳେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମନ୍ଦିର ସାମ୍ନାରେ ପ୍ରାୟ ଅଂଟାଏ ପାଣି ଜମି ରହିଛି । ପାର୍କିଂ ହୋଇଥିବା ବାଇକ୍ ଗୁଡିକ ବୁଡିଯାଇଛି । ଗତ ୧୦ ଦିନ ଧରି ଏଠାରୁ ପାଣି ନିଷ୍କାସନ ପାଇଁ ବିଏମସି ଓ ଏନଏଚଏଆଇ ପକ୍ଷରୁ ଉଦ୍ୟମ ହୋଇଥିଲା । କିନ୍ତୁ ଆଜିର ବର୍ଷାର ସ୍ଥିତି ଦେଖିବା ପରେ ବିଶେଷ ସୁଫଳ ମିଳିଥିବା ପରି ମନେ ହେଉ ନାହିଁ । ବର୍ଷା ପରେ ଇସ୍କନ ସମ୍ମୁôଖରେ ପାଣି ଜମି ରହିଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ବିଏମସି ମେୟର ଅନନ୍ତ ନାରାୟଣ ଜେନା, ପୋଲିସ କମିଶନର ୱାଇ ବି ଖୁରାନିଆ ପହଂଚିଥିଲେ । ବର୍ଷା ଜଳ ନିଷ୍କାସନ ନେଇ ସୁପରିଚାଳନାର ଅଭାବ ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହେଉଛି ବୋଲି ଅଭିଯୋଗ ହୋଇଛି ।

ସେପଟେ ଭୁବନେଶ୍ୱର ଉପକଣ୍ଠ ଆଚାର୍ଯ୍ୟବିହାରରେ ମଧ୍ୟ ସୃଷ୍ଟି ହୋଇଛି ବନ୍ୟାର ଭ୍ରମ । ଆଜି ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ ଗଳିକନ୍ଦି ପାଣିରେ ବୁଡିଯାଇଥିଲା । ଏପରିକି ଲୋକମାନେ ଘରୁ ବାହାରକୁ ବାହାରିବା ମଧ୍ୟ ଅସମ୍ଭବ ହୋଇଯାଇଥିଲା । ଡ୍ରେନ ନିଷ୍କାସନ ଠିକ ଭାବରେ ହେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି । ସେପଟେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।