ଘରେ ଘରେ ପଶିଲା ପାଣି, ମାଲକାନଗିରିରେ ସତର୍କତା ଜାରି । ଲଗାଣ ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହେବା ଆଶଙ୍କା । ମନ୍ତ୍ରୀ କହିଲେ, ସ୍ଥିତି ଉପରେ ରହିଛି ନଜର

127

କନକ ବ୍ୟୁରୋ: ସାରା ରାଜ୍ୟରୁ ଆସୁଛି ବନ୍ୟା ବିତ୍ପାତର ଚିତ୍ର । କନ୍ଧମାଳରୁ କେନ୍ଦ୍ରାପଡ଼ା, ନିମାପଡ଼ାରୁ ନବରଙ୍ଗପୁର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ବନ୍ୟା ସ୍ଥିତି ସଂଗୀନ ହୋଇଛି । କିଛି ସ୍ଥାନରେ ଜଳସ୍ତର କମୁଛି ହେଲେ ସଂକଟ ବଢ଼ିବାରେ ଲାଗିଛି । ଆଉ ଏପଟେ ରାଜ୍ୟ ସରକାର ବନ୍ୟାସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କେମିତି ଅଛି ବନ୍ୟା ସ୍ଥିତି ।

ଲଗାଣ ବର୍ଷ ମଣିଷକୁ କେତେ ଅସହାୟ କରି ଦିଏ, ଇଏ ହେଉଛି ତାର ଚିତ୍ର । ପ୍ରଖର ସୁଅରେ ଜୀବନକୁ ବାଜି ଲଗାଇ ବଂଚିବାର ରାହା ଖୋଜୁଥିବା ଏହି ବ୍ୟକ୍ତି ହିଁ ଠିକ୍ କହିପାରିବେ ବର୍ଷା ଜୀବନଯାତ୍ରାକୁ କେଉଁ ଭଳି ଭାବେ ପ୍ରଭାବିତ କରିଛି । ଆପଣ ଅନୁମାନ କରୁଥିବେ କନ୍ଧମାଳ ଜିଲ୍ଲାରେ ବର୍ଷା କିଭଳି ସମସ୍ୟା ସୃଷ୍ଟି କରିଛି । କେଉଁଠି ଲୋକେ କାନ୍ଧରେ ଗ୍ୟାସ ବୋହି ପାଣି ପାରି ହେଉଛନ୍ତି ତ ଆଉ କେଉଁଠି ବର୍ଷାରେ ଭାଙ୍ଗି ପଡିଛି ଚାଳ ଛପର ଘର । ଜିଲ୍ଲାର ଅନେକ ଗାଁ ପୁଣି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ବନ୍ୟା ପାଣି କଲା ବେହାଲ୍

ଘରେ ପାଣି ବାହାରେ ପାଣି

ସପ୍ତାହେ ଧରି ଲାଗି ରହିଥିବା ଲଗାଣ ବର୍ଷା ନବରଙ୍ଗପୁରରେ ସୃଷ୍ଟି କରିଛି ବନ୍ୟା ପରିସ୍ଥିତି । ରାଜପଥରେ ଦୁଇ ଫୁଟର ପାଣି ଚାଲୁଛି, ସହରରେ ପ୍ରମୁଖ ନାଳରେ ଜମି ରହୁଛି ବର୍ଷା ଜଳ । ଏହା ପ୍ରଭାବରେ ସହରର ବିଭିନ୍ନ ସାହିରେ ଲୋକଙ୍କ ଘରେ ପାଣି ପଶିଯାଇଛି । ଆଉ ଘରେ ପଶିଥିବା ପାଣିକୁ ବାହାର କରିବା ପାଇଁ ଲାଗିଛନ୍ତି ସ୍ଥାନୀୟ ବାସିନ୍ଦା ।

ଶ୍ରାବଣରେ ବର୍ଷା ନଥିବା ବେଳେ ଭାଦ୍ରବ ଆରମ୍ଭରୁ ପ୍ରବଳ ବର୍ଷା ଯୋଗୁଁ ନିମାପଡ଼ାରେ ବ୍ୟାପକ ଫସଲହାନୀର ଆଶଙ୍କା ସୃଷ୍ଟି ହୋଇଛି । ନିମାପଡା ଅଂଚଳର ଖାଲୁଆ ଜମିରେ ଆଣ୍ଠୁଏ ଉଚ୍ଚରେ ଜମି ରହିଛି । ଏପଟେ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳରେ ଲୋକେ ନାକେଦମ । ବଡଜୋର ନାଳ ଓ ରେଂଗାଳି କେନାଲରେ ପାଣି ବଢ଼ିଯିବାରୁ ତଳିଆ ଅଂଚଳରେ ଜଳବନ୍ଦୀ ଜୀବନ ବଂଚୁଛନ୍ତି ସ୍ଥାନୀୟ ବାସିନ୍ଦା ।

ବୌଦ୍ଧ ଜିଲ୍ଲାର ରକ୍ସା ପଂଚାୟତରେ ଉକ୍ରଟ ହେଉଛି ବନ୍ୟା ସମସ୍ୟା । ରାସ୍ତା ଉପରେ ୫ ଫୁଟର ପାଣି ପ୍ରବାହିତ ହେବାରୁ ୧୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଫଳରେ ଜାମ୍ବୁ ନାଳରେ ପାଣି ଆସିବାରୁ ଲୋକେ ଯାତାୟତରେ ସମସ୍ୟା ଭୋଗୁଛନ୍ତି । ଏହାସହ ହେକ୍ଟର ହେକ୍ଟର ଜମି ମଧ୍ୟ ଜଳମଗ୍ନ ହୋଇ ରହିଛି । ଏପଟେ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର । ଆଉ ଏସବୁ ଭିତରେ ପୁଣି ଏକ ଲଘୁଚାପର ସଂଭାବନା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।