କନକ ବ୍ୟୁରୋ : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ତାପମାତ୍ରା ବୌଦ୍ଧରେ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୦.୦ଡିଗ୍ରି ଫୁଲବାଣୀରେ ରହିଛି । ତେବେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନବରଙ୍ଗପୁର ଓ ଦେବଗଡ଼ ଆଦି ରହିଛି । ଏହି ଜିଲ୍ଲାଗୁଡ଼ିକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisment

ସେହିପରି ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଏହି ସମୟରେ ୩୦ରୁ ୪୦କିମି ବେଗରେ ପବନ ବି ବହିପାରେ । ତେଣୁ ଉକ୍ତ ଜିଲ୍ଲାଗୁଡ଼ିକୁ ବି ୟେଲୋ ୱା‌ର୍ଣ୍ଣିଂ ଜାରି କରାଯାଇଛି ।

ଏତଦ୍ ବ୍ୟତୀତ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳରେ ଅକସ୍ମାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ସେହିପରି ମାଟିରାସ୍ତା ଧସିଯିବା, ପାହାଡ଼ିଆ ଅଞ୍ଚଳରେ ଭୂ-ସ୍ଖଳନ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇପାରେ । ଏଥିଯୋଗୁଁ ପନିପରିବା ଚାଷ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି । ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟବାସୀଙ୍କୁ ସତର୍କ କରାଇ ଦିଆଯାଇଛି ।

ଅପରପକ୍ଷେ ୧୦ରୁ ୧୨ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଝଡ଼ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।