ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ! ଆଜି ୭ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

1,832

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ହେଲା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ମୌସୁମୀ ସ୍ବା‌ଭାବିକ ସ୍ଥିତିକୁ ଫେରିଆସିଛି । ଏବେ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି । ଆସନ୍ତା ୨ରୁ ୩ ଦିନ ଭିତରେ ଏକ ଲଘୁଚାପବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତା ୨ରୁ ୩ଦିନ ଧରି ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ ।

ଗତକାଲି ଅପରାହ୍‌ଣରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଯାଇଛି । ଆଜି ରାଜ୍ୟର ପ୍ରାୟ ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହେବ। କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ସମ୍ବଲପୁର ଓ ଦେବଗଡ଼ ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ।

ସେହିପରି ୨୨ ତାରିଖ ଦିନ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ‌ବଲାଙ୍ଗୀର, ବରଗଡ଼ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ଏବଂ କନ୍ଧମାଳ, ନୂଆପଡ଼ା, ଢେଙ୍କାନ‌ାଳ, କଟକ, ନୟାଗଡ଼, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞ‌ାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୩ ତାରିଖ ଆଡ଼କୁ ରାଜ୍ୟରେ ବର୍ଷାର ବିସ୍ତୃତି କମିବ। କିନ୍ତୁ ବରଗଡ଼, ନବରଙ୍ଗପୁର, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୪ ତାରିଖ ଦିନ ମଧ୍ୟ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ଏହି ଲଘୁଚାପ ଶେଷ ହେଉ ହେଉ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଉଛି । ଫଳରେ ଜୁଲାଇ ଶେଷ ଆଡ଼କୁ ରାଜ୍ୟରେ ଭଲ ଅର୍ଥାତ ୧୫୦ ମିମିରୁ ଅଧିକ ବର୍ଷା ହେବ । ଏହା ଜୁଲାଇ ମାସର ନିଅଣ୍ଟିଆ ବର୍ଷାର ସ୍ଥିତିକୁ କିଛି ପରିମାଣର ଭରଣା କରିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି ।