ରାଜ୍ୟରେ ଆଜି ୧୪ ଜିଲ୍ଲାରେ ବର୍ଷା ! ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

406

କନକ ବ୍ୟୁରୋ : ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ନେଇ ୟେଲୋ ୱାଣ୍ଣିଂ ଜାରି । ସୂଚନା ମୁତାବକ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, କନ୍ଧମାଳ, ସମ୍ବଲପୁର ଓ ବରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନ‌ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିସହ ୨୫ ତାରିଖ ପାଇଁ ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୬ ତାରିଖ ଦିନ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ । ତେବେ ୨୮ ତାରିଖ ଯାଏ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନଥିବା ସୂଚନା ମିଳିଛି ।

ଆସନ୍ତା ୨୯ ତାରିଖରୁ ମୌସୁମୀ ଘୂର୍ଣ୍ଣିବଳୟ ସୃଷ୍ଟି ହେବାରେ କ୍ରମଶଃ ସୁଧାର ଆସିବାର ସମ୍ଭାବନା ରହିଛି । ଫଳରେ ୨୯ରୁ ବର୍ଷା ବଢ଼ିବା ସହିତ ଜୁଲାଇ ୧ ତାରିଖରୁ ମୌସୁମୀ ସକ୍ରିୟ ହେତୁ ବିସ୍ତୃତ ବର୍ଷାର ସମ୍ଭାବନା ରହିଛି । ଆକଳନ କରାଯାଉଛି, ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ସ୍ବାଭାବିକ ବର୍ଷା ହେବ । ଜୁନ୍‌ ୧ ରୁ ୨୩ ସୁଦ୍ଧା ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ୯୨.୩ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ୧୬୬.୯ ମିମିଠାରୁ ବର୍ଷାଠାରୁ ୪୪.୭% କମ୍‌ ବା ଅତି ନିଅଣ୍ଟିଆ । ରାଜ୍ୟର ୩୦ ଜିଲ୍ଲାରୁ କେବଳ ବୌଦ୍ଧରେ ସ୍ୱାଭାବିକ ଅପେକ୍ଷା ୩୫% ଅଧିକ ବର୍ଷା ହୋଇଛି ।

୪ଟି ଜିଲ୍ଲା ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ଓ ନୂଆପଡ଼ା ରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୮ଟି ଜିଲ୍ଲା ଯଥା, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଧା, ପୁରୀ, ଗଜପତି, ମାଲକାନଗିରି, ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି । ବାକି ୧୭ଟି ଜିଲ୍ଲାରେ ବର୍ଷା ୧୯ରୁ ୫୯% ନିଅଣ୍ଟିଆ ରହିଛି । ବୌଦ୍ଧରେ ସର୍ବାଧିକ ବର୍ଷା ୨୦୭ ମିମି ହୋଇଥିବା ବେଳେ ପୁରୀରେ ସବୁଠାରୁ କମ୍‌ ବର୍ଷା ୧୨.୭ମିମି ହୋଇଛି ।