କନକ ବ୍ୟୁରୋ : ଖୁବଶୀଘ୍ର ଆସୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଅଗଷ୍ଟ ପ୍ରଥମ ସପ୍ତାହ ଯାଏ ଜାରି ରହିବ ବର୍ଷା। ବଡ଼ ନ ହେଲେ ମଧ୍ୟ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗିରହିବ। ରାଜ୍ୟରେ ସୃଷ୍ଟି ହୋଇଥିବା ନିଅଣ୍ଟିଆ ସ୍ଥିତି କିଛି ମାତ୍ରାରେ ଦୂର ହେବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଭାଗ ଆକଳନ କରିଛି ଯେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅର୍ଥାତ ୩୧ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ସପ୍ତାହକ ଯାଏ ସାରା ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିବ ବୋଲି ଆଶା କରାଯାଉଛି।
୨୯ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ସମୟ ମଧ୍ୟରେ କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଧା, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୩୦ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ଏହାର ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ସେଭଳି ବର୍ଷା ନାହିଁ।ତେବେ ୩୧ ତାରିଖ ଅପରାହ୍ଣରୁ ପୁଣି ପାଗ ବଦଳିବ। ଲଘୁଚାପ ଯୋଗୁଁ ପ୍ରଥମେ ଉତ୍ତର ଓଡ଼ିଶା ଓ ପରେ ଉପକୂଳ, ପଶ୍ଚିମ ଓଡ଼ିଶାରେ ଅଗଷ୍ଟ ୩ ତାରିଖ ଯାଏ ପ୍ରବଳ ବର୍ଷା ଲାଗିରହିବ ବୋଲି ଆକଳନ କରାଯାଇଛି। ଓଡ଼ିଶା ଉପକୂଳରେ ମୌସୁମୀ ଅଧିକ ସକ୍ରିୟ ରହିଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/RAIN-2.jpg)