ଅଣନିଶ୍ୱାସୀ ଯୋଡ଼ା ! ଖଣି ଓ କଳକାରଖାନା ଯୋଗୁଁ ବିଷ ପାଲଟିଲାଣି ପାଣି-ପବନ, ଜୀବନକୁ ଅସ୍ତବ୍ୟସ୍ତ କରୁଛି ଶବ୍ଦ ପ୍ରଦୂଷଣ ।

206

କନକ ବ୍ୟୁରୋ : ଅଣନିଶ୍ୱାସୀ ଯୋଡ଼ା । ଧୂଳି ଧୁଆଁ ଓ ପ୍ରଦୂଷଣ ଭିତରେ ଧନ୍ଦି ହେଉଛନ୍ତି ଲୋକେ । ବଦଳି ଯାଇଛି ପ୍ରକୃିତର ଚିତ୍ର ଓ ଚରିତ୍ର । ଯୋଡ଼ାର ଦୃଶ୍ୟ ଦେଖିଲେ ଚିନ୍ତା କରି ହେଉନି, ଏହା ସବୁଜ ପତ୍ରରେ ଭରା ଗଛ ନାଁ ପାଉଁଶ ଗଦା । ପ୍ରକୃତରେ ଧୂଳିର ଚାଦରରେ ଢାଙ୍କି ହୋଇଯାଇଛି ଗଛ । ଆଉ ଏ ଅବସ୍ଥା ହେଉଛି, ରାଜ୍ୟ ରାଜକୋଷକୁ ବହୁ ପରିମାଣର ରାଜସ୍ୱ ଯୋଗାଉଥିବା କେନ୍ଦୁଝର ଜିଲ୍ଲା ଯୋଡା ଖଣି ଅଂଚଳର । ଦିଲ୍ଲୀ ପରେ କେନ୍ଦୁଝରର ଯୋଡା ଓ ବଡବିଲ ଖଣି ଅଂଚଳ ସବୁଠାରୁ ଅଧିକ ପ୍ରଦୂଷିତ କହିଲେ କିଛି ଭୁଲ ହେବ ନାହିଁ । କାରଣ ଯେ କେହି ବି ଏହି ରାସ୍ତାର ଦୃଶ୍ୟ ଦେଖିବ ସେ କହିବ ଏଠାକାର ପ୍ରଦୂଷଣର ମାତ୍ରା କେତେ ଭୟଙ୍କର ।

ନିଶ୍ୱାସରେ ଆସୁଛି ବିଷ । ବିଷ ପାଲଟିଛି ପାଣି, ପବନ ଓ ଧ୍ୱନୀ । ଜିଲ୍ଲାର ଅର୍ଥନୈତିକ ପ୍ରାଣକେନ୍ଦ୍ର ଭାବେ ପରିଚିତ ଏହି ଅଂଚଳରେ ପାଦ ଦେବାକୁ ଭୟ କରୁଛନ୍ତି ଲୋକେ । କାରଣ ଖଣି ଓ କଳକାରଖାନା ଯୋଗୁଁ ଏଠାରେ ବାୟୁ ସହ ଜଳ ଓ ଶବ୍ଦର ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢି ବଢି ଚାଲିଛି । କେନ୍ଦୁଝରର ଜୀବନରେଖା ବୈତରଣୀ ନଦୀର ଜଳ ବି ପ୍ରଦୂଷିତ ହୋଇଛି । ଶାଖା ନଦୀ କାରୋ ଓ ସୁନାରେ ଖଣି ଖାଦାନର ବର୍ଜ୍ୟବସ୍ତ ମିଶିବାରୁ ପ୍ରଦୂଷିତ ହେଉଛି ବୈତରଣୀ । ଧୂଳି ଧୂଆଁ ଭିତରେ ଧନ୍ଦି ହେଉଥିବା ମଣିଷ ପ୍ରଦୂଷଣ ଯୋଗୁଁ ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି ବୋଲି କୁହନ୍ତି ଡାକ୍ତର ।

ଅନ୍ୟପଟେ ଖଣି ଖୋଳା ହେଉଛି, ଟ୍ରକ ଟ୍ରକ ଖଣିଜ ପଦାର୍ଥ ବୁହା ହେଉଛି । ଆଉ ଖଣି ଅଂଚଳରେ ସେହି ପରିମାଣର ପ୍ରଦୂଷଣ ମାତ୍ରା ବଢୁଛି । ତେଣୁ ବେଳ ଥାଉ ଥାଉ ପ୍ରଶାସନ ଏଥିପ୍ରତି ନଜର ନଦେଲେ ସ୍ଥିତି ବିଗିଡିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।