ହିଂସା ପରେ ଦିଲ୍ଲୀ ସମେତ ଲାଲକିଲ୍ଲା ପୁଲିସ ଛାଉଣୀ: ହରିୟାଣାରେ ହାଇଆଲର୍ଟ, ୩ ଜିଲ୍ଲାରେ ସନ୍ଧ୍ୟା ୫ଟା ଯାଏଁ ଇଂଟରନେଟ ସେବା ବନ୍ଦ; କୃଷକଙ୍କ ଆନ୍ଦୋଳନ ଜାରି, ହିଂସା ପରେ ସ୍ଥିତି ନିୟନ୍ତ୍ରଣରେ

274

କନକ ବ୍ୟୁରୋ: ଚାଷୀଙ୍କ ଟ୍ରାକ୍ଟର ରାଲି ହିଂସାକାଣ୍ଡରେ ୮୬ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ପ୍ରାୟ ୨୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ନେଇ ୧୫ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ସେପଟେ ପଂଜାବ ଓ ହରିୟାଣାରେ ହାଇ ଆଲର୍ଟ । ଏହାସହ ଦିଲ୍ଲୀରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଏସବୁ ଭିତରେ ଟ୍ରାକ୍ଟର ରାଲିକୁ ସ୍ଥଗିତ କରିଛନ୍ତି ଚାଷୀ । ଏହାସହ ଚାଷୀ ପୂର୍ବରୁ ଧାରଣା ଦେଉଥିବା ସ୍ଥଳକୁ ଫେରିଛନ୍ତି । ତେବେ ଚାଷୀ ନିଜ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ଦିଲ୍ଲୀ ପୁଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ମଧ୍ୟ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲେ । ସିଂଘୁ, ଗାଜିପୁର, ଟିକ୍ରି ଅଂଚଳରେ ଇଂଟରନେଟ ସେବାକୁ ମଧ୍ୟ ସାମୟିକ ଭାବେ ବନ୍ଦ କରାଯାଇଥିଲା ।

ଏବେ ନଜର ପକାନ୍ତୁ ଚାଷୀ ହିଂସା ପରେ କଣ ରହିଛି ଅପଡେଟ୍

-ହିଂସା ପରେ ଦିଲ୍ଲୀ ସମେତ ଲାଲକିଲ୍ଲା ପୁଲିସ ଛାଉଣୀ

-ସମ୍ବେଦନଶୀଳ ଅଂଚଳରେ ପୁଲିସ ସହ ସିଆରପିଏଫର ୧୫ କମ୍ପାନୀ ମୁତୟନ

-୮୦ରୁ ଅଧିକ ପୁଲିସ କର୍ମୀ ଆହତ, ୧୫ ମାମଲା ରୁଜୁ

-ଲାଲକିଲ୍ଲା ମେଟ୍ରୋ ଷ୍ଟେସନରେ ପ୍ରବେଶ ପଥ ବନ୍ଦ

-ହରିୟାଣାରେ ହାଇଆଲର୍ଟ, ୩ ଜିଲ୍ଲାରେ ସନ୍ଧ୍ୟା ୫ଟା ଯାଏଁ ଇଂଟରନେଟ ସେବା ବନ୍ଦ

-କୃଷକଙ୍କ ଆନ୍ଦୋଳନ ଜାରି, ହିଂସା ପରେ ସ୍ଥିତି ନିୟନ୍ତ୍ରଣରେ

-ଚାଷୀଙ୍କ ବୈଠକ ପରେ ଘୋଷଣା ହେବ ପରବର୍ତ୍ତୀ ରଣନୀତି

ସେପଟେ, ଦିଲ୍ଲୀ ହିଂସାକାଣ୍ଡ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଆତଙ୍କୀ ଖଲିସ୍ତାନୀ ସଂଗଠନର ହାତ ଥିବା ନେଇ ଗୁଇନ୍ଦା ରିପୋର୍ଟ ଥିବା ଗୋଟିଏ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଗଣତନ୍ତ୍ର ଦିବସରେ ହିଂସାକାଣ୍ଡ ଘଟାଇବାକୁ ଆଇଏସଆଇ ପକ୍ଷରୁ ବାବର ଖାଲସାର ଜର୍ମାନ ଶାଖାକୁ ୫ କୋଟି ଦିଆଯାଇଥିଲା ବୋଲି ଏହି ଖବରରେ କୁହାଯାଇଛି । ଡିପ୍ ସିଦ୍ଧୁ ନାମରେ ଜଣେ ବ୍ୟକ୍ତିଙ୍କ ନାମ ଚର୍ଚ୍ଚାକୁ ଆସିଛି । ଯଦିଓ ଡିପ୍ ସିଦ୍ଧୁ ଜଣେ ଚାଷୀ ନେତା ତେବେ ଏହି ବ୍ୟକ୍ତି ଜଣକ ହିଂସାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି କିଛି ଚାଷୀନେତା ଅଭିଯୋଗ କରିଛନ୍ତି । ଏହାସହ ସରକାରୀ ସଂସ୍ଥା ଉପରେ ମଧ୍ୟ ଦୋଷ ଲଦିଛନ୍ତି ଆଉ କିଛି ଚାଷୀ ନେତା ।