ଭୟ ବଢାଉଛି ରାଜକନିକା ଫେରିଘାଟ । ଡଙ୍ଗାରେ ଯାଉଛନ୍ତି ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ । ନା ଅଛି ଲାଇଫ ଜ୍ୟାକେଟ୍ ନା କୌଣସି ସୁରକ୍ଷା ବ୍ୟବସ୍ଥା ।

121

କନକ ବ୍ୟୁରୋ : ପ୍ରତିଦିନ ହଜାର ହଜାର ଲୋକମାନେ କେନ୍ଦ୍ରାପଡା ଜୟନଗର ଫେରି ଘାଟ ଦେଇ ଭିତରକନିକା ଜାତୀୟ ଉଦ୍ୟାନକୁ ବୁଲିବାକୁ ଯାଉଛନ୍ତି । କେବଳ ବୁଲିବାକୁ ନେୁହଁ ବେପାର ବାଣିଜ୍ୟ ପାଇଁ ବି ବିପଦ ପୂର୍ଣ ଯାତ୍ରା କରୁଛନ୍ତି ନଇକୂଳିଆ ଲୋକ । ଦେଶୀ ଡଙ୍ଗାରେ ନଦୀ ପାରି ବେଳେ କେତେବେଳେ କ’ଣ ହେବ ତା କହିବା ଅସମ୍ଭବ । ତେଣୁ ତୁରନ୍ତ ପ୍ରସାଶନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

ବିଭିନ୍ନ ସମୟରେ ଡଙ୍ଗାବୁଡି ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ କଟକଣା ଲଗାଇବା ସହ ତାଲିମ ପ୍ରାପ୍ତ ଡଙ୍ଗା ଚାଳକ ଡଙ୍ଗା ଚଳାଇବା ସହ ଲାଇଫ ଜ୍ୟାକେଟ ରଖିବା ବାଧ୍ୟତାମୂଳକ କରିଛନ୍ତି । କିନ୍ତୁ ପ୍ରଶାସନର ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ରାଜକନିକା ବ୍ଲକ ଜୟନଗର ଫେରି ଘାଟର ଡଙ୍ଗା ଚାଳକ ।

ବ୍ରାହ୍ମଣୀ, ବୈତରଣି ଓ ଖରସ୍ରୋତା ନଦୀର ସଙ୍ଗମ ସ୍ଥଳ ଦେଇ ପ୍ରତିଦିନ ରାଜକନିକା ବ୍ଲକର ଶହଶହ ରାଜନଗରକୁ ବେପାର ବାଣିଜ୍ୟ କରିବାକୁ ଯିବା ଆସିବା କରିବା ସହ ଭିତରକନିକାକୁ ଯାଉଛନ୍ତି । ନଦୀ ପାରି ହୋଇ ମାତ୍ର ୧୨ କିଲୋମିଟର ଗଲେ ଭିତରକନିକା ପଡିବ । ତେଣୁ କୁମ୍ଭୀରିଆ ନଦୀରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଲୋକେ ।

ନଦୀର ସଙ୍ଗମ ସ୍ଥଳରେ ଡଙ୍ଗା ଚଳାଉଥିବା ଚାଳକ ଅଣତାଲିମ ପ୍ରାପ୍ତ ହୋଇଥିବା ବେଳେ ସେମାନଙ୍କ ଡଙ୍ଗାରେ ଲାଇଫ ଜ୍ୟାକେଟ ନାହିଁ । କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ଡଙ୍ଗାର କ୍ଷମତା ଠାରୁ ଅଧିକ ଲୋକ ସହ ଗାଡି ନେଉଛନ୍ତି ଚାଳକ । ତେଣୁ କିଛି ଅଘଟଣ ଘଟିବା ଆଗରୁ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।